ଦିନ ଆସିବ ‘ହୋଲସେଲ କ୍ରେତା’ ଦେଶର ସମସ୍ତ ବିଧାୟକଙ୍କୁ କିଣି ନେବେ; ବିଜେପିକୁ ଚିଦାମ୍ବରମଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ଗୋଆ କଂଗ୍ରେସର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଗୋଆରେ ମୋଟ ୧୧ ଜଣ କଂଗ୍ରେସ ବିଧାୟକ ଥିବାବେଳେ ୮ ଜଣ ବିଜେପିରେ ଯୋଗ ଦେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ କଂଗ୍ରେସ। ଦଳ ପକ୍ଷରୁ ଏନେଇ ବିଜେପିକୁ ଜୋରଦାର ସମାଲୋଚନା କରାଯାଉଛି। ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ବିଜେପିକୁ ଟାର୍ଗେଟ କରିଛନ୍ତି । ଚିଦାମ୍ବରମ କହିଛନ୍ତି ଯେ, ୨୦୧୪ ପରେ ଭାରତୀୟ ବଜାରରେ ଗୋଟିଏ ‘ହୋଲସେଲ କ୍ରେତା’ ଆସିଯାଇଛନ୍ତି । ଏମିତି ଏକ ଦିନ ଆସିବ ଯେତେବେଳେ ଏହି ହୋଲସେଲ କ୍ରେତା ଦେଶର ସମସ୍ତ ବିଧାୟକଙ୍କୁ କିଣି ନେବେ ଓ ଦେଶର ମତଦାତାଙ୍କର ପରିହାସ କରିବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ ଗୋଆରେ କଂଗ୍ରେସର ବାକିଥିବା ୩ ବିଧାୟକଙ୍କୁ ନେଇ ମନ୍ତବ୍ୟ ଦେଇଛନ୍ତି ଯେଉଁମାନେ ତାଙ୍କ ୮ ସହଯୋଗୀଙ୍କ ସହ ଭାଜପାରେ ସାମିଲ ହୋଇ ନାହାନ୍ତି । ଚିଦାମ୍ବରମ କହିଛନ୍ତି ଯେ, ଏହି ୩ ବିଧାୟକ ଭଗବାନ, ପାର୍ଟି, ମତଦାତା ଓ ସିଦ୍ଧାନ୍ତ ପ୍ରତି ‘ଦୃଢ ନିଷ୍ଠା’ର ପରିଚୟ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସମେତ ରାଜ୍ୟର ୧୧ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି । ଫଳରେ ବିରୋଧୀ ଦଳକୁ ଶକ୍ତ ଧକ୍କା ଲାଗିଛି । ୪୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସର ଏବେ ମାତ୍ର ୩ ବିଧାୟକ ରହିଲେ ।

Related Posts