ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ

ସତ୍ୟପାଠ ବ୍ୟୁରୋ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ । ଏନେଇ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ କେନ୍ଦ୍ରକୁ ଏକ ଚିଠି ଲେଖି ପରବର୍ତ୍ତୀ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ୍‌ କରିଛନ୍ତି । ତାଙ୍କ ପରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଶରଦ ଅରବିନ୍ଦ ବୋବଡେ ମୁଖ୍ୟ ବିଚାରପତି ହୁଅନ୍ତୁ ବୋଲି ଜଷ୍ଟିସ ଗୋଗଇ କହିଛନ୍ତି । ତେବେ ଅବସରଗ୍ରହଣ କରିବା ପୂର୍ବରୁ ଦେଶର ପ୍ରଧାନ ବିଚାରପତିମାନେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବେ ତାହା ସୁପାରିସ କରିଥାନ୍ତି । ସେ ଯିବା ପରେ ତାଙ୍କ ସ୍ଥାନରେ ସେ କାହାକୁ ଦେଖିବାକୁ ଚାହାନ୍ତି, ଏହା ସେମାନେ କେନ୍ଦ୍ରକୁ ଚିଠି ଲେଖି ଜଣାଇଥାନ୍ତି । ସୁପ୍ରିମକୋର୍ଟରେ ଜଷ୍ଟିସ ଗୋଗଇଙ୍କ ପରେ ଏସ୍‌.ଏ ବୋବଡେ ଦ୍ୱିତୀୟ ବରିଷ୍ଠତମ ବିଚାରପତି ଭାବେ କାମ କରୁଛନ୍ତି । ଜଷ୍ଟିସ ଗୋଗଇଙ୍କ ଅବସର ପରେ ତାଙ୍କ ସ୍ଥାନରେ ବୋବଡେଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯିବା ନେଇ ସ୍ପଷ୍ଟ ହୋଇ ଯାଇଛି ।

୨୦୧୮ ଅକ୍ଟୋବର ୩ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଥିଲେ ଜଷ୍ଟିସ ରଞ୍ଜନ ଗୋଗଇ । ନଭେମ୍ବର ୧୭ରେ ସେ ଅବସର ନେବାକୁ ଥିବା ବେଳେ ନିୟମ ଅନୁଯାୟୀ ନଭେମ୍ବର ୧୮ରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଏସ୍‌.ଏ ବୋବଡେ । ୨୦୨୧ ଅପ୍ରେଲ ୨୩ ଯାଏଁ ତାଙ୍କର କାର୍ଯ୍ୟକାଳ ରହିବ। ୧୯୫୬ ଅପ୍ରେଲ ୨୬ରେ ନାଗପୁରରେ ଜନ୍ମଗ୍ରହଣ କରିଥିବା ବବ୍‌ଡେ ସୁପ୍ରିମକୋର୍ଟରେ 8 ବର୍ଷ ଧରି ଜଜ ଅଛନ୍ତି। ଏହା ସହ ସେ ମହାରାଷ୍ଟ୍ର, ନ୍ୟାସନାଲ ଲ’ ୟୁନିଭରସିଟି, ମୁମ୍ବାଇ ଓ ମହାରାଷ୍ଟ୍ର ନ୍ୟାସନାଲ ୟୁନିଭରସିଟି, ନାଗପୁରର ଚାନସେଲର ମଧ୍ୟ ଅଛନ୍ତି। ତାଙ୍କ ପିତାଙ୍କ ନାମ ଅରବିନ୍ଦ ଶ୍ରୀନିବାସ ବୋବଡେ । ଜଷ୍ଟିସ ବୋବଡେ ନାଗପୁର ବିଶ୍ଵବିଦ୍ୟାଳୟରୁ ବିଏ ଏବଂ ଏଲଏଲବି ଡିଗ୍ରୀରେ ପାସ୍ କରିଛନ୍ତି। ଏହାପରେ ବୋବଡେ ଅତିରିକ୍ତ ଜଜ ଭାବେ ୨୦୦୦ ମସିହା ମାର୍ଚ୍ଚ ୨୯ରେ ବମ୍ବେ ହାଇକୋର୍ଟର ଖଣ୍ଡପୀଠର ଜଣେ ସଦସ୍ୟ ଥିଲେ। ୨୦୧୨ ମସିହା ଅକ୍ଟୋବର ୧୬ରେ ଜଷ୍ଟିସ୍ ବୋବଡେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଭାବରେ ଶପଥ ନେଇଥିଲେ।  ୨୦୨୧ ଅପ୍ରେଲ ୨୩ରେ ଶେଷ ହେବ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ।

Related Posts