ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଭଞ୍ଜନଗର ନୂତନ ଏଡିଜେ କୋର୍ଟର ଶିଳାନ୍ୟାସ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମୂରଲୀଧର । ଏହି ଅବସରରେ ସେ କହିଛନ୍ତି, ଜନସାଧାରଣଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ପୁଲିସ୍‌ ଠାରୁ ଆରମ୍ଭ କରି ପ୍ରଶାସନ,ଆଇନଜୀବୀ ଏବଂ କୋର୍ଟ ସମସ୍ତଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ନିଜର ସମସ୍ୟାକୁ ନେଇ ଆଇନର ଦ୍ବାରସ୍ଥ ହେଉଥିବା ବ୍ୟକ୍ତିଙ୍କୁ ପ୍ରାଧ୍ୟାନ୍ୟ ଦେବା ଆମ ସମସ୍ତଙ୍କ ପ୍ରଥମ କର୍ତ୍ତବ୍ୟ। ସମସ୍ତେ ଯଦି ଦଳଗତ ଭାବେ କାର୍ଯ୍ୟ କରିବେ ତେବେ ଓଡ଼ିଶା ନ୍ୟୟିକ କ୍ଷେତ୍ରରେ ଦେଶରେ ଶ୍ରେଷ୍ଠ ହୋଇପାରିବ ବୋଲି ଭୂମି ପୂଜନ କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟ ବିଚାରପତି ଏସ୍‌ ମୂରଲୀଧର ।ଅନ୍ୟ ସାଧାରଣ ଅନୁଷ୍ଠାନ ଭଳି ‌କୋର୍ଟ ଲୋକଙ୍କ ପାଇଁ ଖୋଲା ହେବା ଆବଶ୍ୟକ। କୋର୍ଟ ପରିସରରେ ‌ବିଚାରପତି ତଥା ଆଇନଜୀବୀ,ପୁଲିସ ଏବଂ କୋର୍ଟ କର୍ମଚାରୀ ମାନଙ୍କ ଦ୍ବାରା ଯେଭଳି ନ୍ୟାୟ ପାଇବା ଆଶାରେ ଆସିଥିବା ଲୋକ ନିରାଶାର ଶିକାର ନ ହୁଅନ୍ତି ସେ ଦିଗରେ ସମସ୍ତ‌େ ଯତ୍ନବାନ ହେବା ଜରୁରୀ ବୋଲି ସେ କହିଥିଲେ।

ଏଥିସହ ଉଚ୍ଚ ନ୍ୟାୟଳୟର ଅନ୍ୟତମ ଜଷ୍ଟିସ୍‌ ତଥା ଗଞ୍ଜାମ ଜିଲ୍ଲା ପ୍ରୋଟକଲ ଜଜ୍ ବିଦ୍ୟୁତ୍ ରଞ୍ଜନ ଷଢଙ୍ଗୀ ଯୋଗଦେଇ କୋର୍ଟକୁ ଆସୁଥିବା ସମସ୍ତଙ୍କ ପାଇଁ ଉତ୍ତମ ଭିତ୍ତିଭୂମୀ ସାଙ୍ଗକୁ ସର୍ବନିମ୍ନ ସୁବିଧା ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ରାଜ୍ୟର ସବୁଠି ଆଧୁନିକ ଭିତ୍ତିଭୂମି ସମ୍ପନ୍ନ କୋର୍ଟ ନିର୍ମାଣ ସଂର୍ପକରେ କହିଥିଲେ। ଗତ ବର୍ଷ ରାଜ୍ୟରେ ୬୦ ଟି ଉନ୍ନତ କୋର୍ଟ କୋଠା ନିର୍ମାଣ ସରିଥିବା ନେଇ ସେ ସୂଚନା ଦେଇଥିଲେ। ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ମାମାଲ ବିଚାର ସହ ନ୍ୟାୟିକ ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଉଥିବା ସେ ପ୍ରକାଶ କରିଥିଲେ।

ମୁଖ୍ୟ ବିଚାରପତି ଶ୍ରୀ ମୂରଲୀଧର ଆଜି ପ୍ରଥମେ ଜଗନ୍ନାଥପ୍ରସାଦ ଜେଏମ୍‌ଏଫଏସି ନୂତନ କୋର୍ଟର ଉଦ୍‌ଘାଟନ କରିବା ପରେ ସେଠାରେ ଉକ୍ତ କୋର୍ଟ ପାଇଁ ପ୍ରାୟ ୫ କୋଟି ଟଙ୍କାରେ ଏକ ନୂତନ କୋଠା ନିମିତ୍ତ ଭୂମି ପୂଜନ କରିଥିଲେ। ଏହି କୋର୍ଟକୁ ଭଞ୍ଜନଗର କୋର୍ଟରୁ ୩୬୦୦ ମାମଲାର ରେକର୍ଡ ସ୍ଥାନାନ୍ତର କରାଯାଇଥିବା ବେଳେ ଭଞ୍ଜନଗର କୋର୍ଟରୁ ଜେଏମ୍‌ଏଫ୍‌ସି ପ୍ରଜ୍ଞା ରାଉତ ଏଠାରେ ନୂତନ ଜେଏମ୍‌ଏଫ୍‌ସି ଭାବେ ଯୋଗ ଦେଇଛନ୍ତି। ଭଞ୍ଜନଗର ବ୍ଳକ୍‌ ଛକ ନିକଟରେ ଏକ ନୂତନ ଅତ୍ୟାଧୁନିକ ଏଡିଜେ କୋର୍ଟ କମ୍ପେକ୍ସ୍‌ ପାଇଁ ଶୁଭ ଦେଇଥିଲେ। ଏଥିରେ କୋର୍ଟ ହଲ ସହ ଟ୍ରାନ୍‌ଜିଟ୍‌ ହାଉସ୍,ବାର୍‌ ହଲ୍‌,କ୍ୟାନ୍‌ଟିନ୍,ଜଜ ଓ କର୍ମଚାରୀ ମାନଙ୍କ କ୍ବାଟର୍ସ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ କରାଯିବ ‌ବୋଲି ଜଣାପଡିଛି।

ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ସନ୍ତୋଷ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଆଇନଜୀବୀ ଅଶ୍ବିନ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାଜଜ ଆନନ୍ଦଚନ୍ଦ୍ର ବେହେରା,ଉଚ୍ଚ ନ୍ୟାୟଳୟର ରେଜିଷ୍ଟାର ଭିଜିଲାନ୍ସ୍‌ ଅଖିଳ କୁମାର ପଶ୍ଚିମ କବାଟ,ଜିଲ୍ଲା ରେଜିଷ୍ଟାର ସୁଶାନ୍ତ କୁମାର ମିଶ୍ର,ଜିଲ୍ଲା ଭିଜିଲାନ୍ସ୍‌ ଜଜ୍‌ ଡ.ଅରୁଣ କୁମାର ସାହୁ,ଜିଲ୍ଲାପାଳ‌ ଜ୍ୟୋତି ରଞ୍ଜନ ପରିଡା,ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟଙ୍କ ସମେତ ଜିଲ୍ଳାର ସମସ୍ତ କୋର୍ଟର ବିଚାରପତି ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ବରିଷ୍ଠ ଆଇନଜୀବୀ ଏମ୍‌ତାଜ ଆଦେନୀ,ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ରବିନ୍ଦ୍ରନାଥ ଦାଶ,ଓକିଲ ସଂଘ ଉପସଭାପତି ଧିରେନ ସ୍ବାଇଁ,ଚନ୍ଦ୍ରମଣୀ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହିଥିଲେ। ଶେଷରେ ସମ୍ପାଦକ ଅମରେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥ‌ିଲେ।