ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶୁକ୍ରବାର ଓଡିଶା ଫେରିଛନ୍ତି ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ। ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କା ନଗଦ ପୁରସ୍କାର ସହିତ ତାଙ୍କୁ ଗ୍ରୁପ୍‌-ଏ ସ୍ତରର ଚାକିରି ପ୍ରଦାନ କରିଛନ୍ତି ।

ସେ ପ୍ରମୋଦଙ୍କୁ କହିଛନ୍ତି ଯେ , ‘ ତୁମର ଉଲ୍ଲେଖନୀୟ ସଫଳତା ପାଇଁ ତୁମକୁ ଉତ୍ସାହିତ କରିବା ମୋତେ ବହୁତ ଆନନ୍ଦ ଦେଇଛି । ତୁମର ବିଜୟ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା ଏବଂ ସବୁଦିନ ପାଇଁ ରହିବ । କ୍ରୀଡା କିପରି ଜୀବନକୁ ଉନ୍ନତ ଏବଂ ସଶକ୍ତ କରିପାରିବ ତାହା ତୁମେ ପ୍ରକୃତରେ ପ୍ରମାଣ କରିଛ । ଅଧିକ ଗୌରବ ପାଇଁ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଗାମୀ ଯାତ୍ରା ସମୟରେ ଆମେ ଆପଣଙ୍କୁ ସମର୍ଥନ ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ‘

ଏହା ସହ ପାରାଅଲିମ୍ପିକ୍ ଯାତ୍ରାରେ ନିରନ୍ତର ସମର୍ଥନ ଏବଂ ପ୍ରେରଣା ପାଇଁ ପ୍ରମୋଦ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶୁକ୍ରବାର ଦିନ କଳିଙ୍ଗ ହକି ଷ୍ଟାଡିୟମରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରୋତ୍ସାହନ ପରିଷଦର ଅଧ୍ୟକ୍ଷ ଦିଲୀପ ର୍ତିର୍କି, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ୍ , କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର ଭିନେଲ କ୍ରିଷ୍ଣା, କ୍ରୀଡ଼ାବିତ୍‍ ତଥା କ୍ରୀଡ଼ା ବିଭାଗର ଅଧିକାରୀମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଶୁକ୍ରବାର ଦିନ ଓଡିଶା ଫେରିଛନ୍ତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିରାଟ ପଟୁଆରରେ ସ୍ୱାଗତ କରିଥିଲେ । ତେବେ ଆଗାମୀ ଦିନରେ ୨୦୨୪ ମସିହାରେ ପ୍ୟାରିସ୍ ପାରାଲିମ୍ପିକ୍ସରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିବା ତାଙ୍କର ଲକ୍ଷ୍ୟ ବୋଲି ପ୍ରମୋଦ କହିଛନ୍ତି । ନିକଟରେ ଶେଷ ହୋଇଥିବା ଟୋକିଓ ପାରାଲିମ୍ପିକ୍ସ, ୨୦୨୦ ରେ ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସ ରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Related Posts