ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କା, ଗ୍ରୁପ ଏ ସରକାରୀ ଚାକିରି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା କରଛନ୍ତି ରାଜ୍ୟ ସରକାର। ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ଦେବେ ସରକାର ଏହା ସାଙ୍ଗକୁ ମିଳିବ ଗ୍ରୁପ ଏ ଲବଲ୍ ସରକାରୀ ଚାକିରି । ସୂଚନା ଥାଉକି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ,  ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୬ କୋଟି, ରୌପ୍ୟ ବିଜେତାଙ୍କ ପାଇଁ ୪ କୋଟି ଓ କାଂସ୍ୟ ବିଜେତାଙ୍କୁ ପାଇଁ ଅଢେଇ କୋଟି ମିଳିବ । 

ଚଳିତ ଟୋକିଓ ପାରା ଅଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କରିଛନ୍ତି । ବ୍ରିଟେନ ପ୍ରତିପକ୍ଷ ଡାନ୍ ବେଥେଲଙ୍କୁ ହରାଇ ପ୍ରମୋଦ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରମୋଦ ଭଗତ ପ୍ରଥମଥର ପାଇଁ ପାରା ଅଲିମ୍ପିକ୍ସରେ ଭାଗ ନେଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି SL -3 ରେ ଫାଇନାଲରେ ପହଞ୍ଚିଥିଲେ। ସେ ୨୧-୧୪ ଓ ୨୧-୧୭ ସେଟ୍‌ରେ ମ୍ୟାଚ୍ ଜିତିଛନ୍ତି । 

ତାଙ୍କ ବିଜୟରେ ବରଗଡ ଜିଲ୍ଲାର ଅତାବିରା ଗାଁରେ ଖୁସିର ଲହରୀ ଖେଳିଯାଇଛି। ପ୍ରମୋଦଙ୍କ ଏହି ଐତିହାସିକ ବିଜୟ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ,  ଏହା ପୂର୍ବରୁ ଭୁବନେଶ୍ୱରରେ ଥିବା ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର ‘ଉଡ଼ାନ୍‌’ ତାର ଏକ କୋର୍ଟଙ୍କୁ ପ୍ରମୋଦ ଭଗତ ନାଁରେ ନାମିତ କରିବ ବୋଲି ଘୋଷଣା କରିଛି। ଏଥିସହିତ ଏହି କୋର୍ଟକୁ ପାରା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିବ। ଏତଦ୍ ବ୍ୟତୀତ ପ୍ରମୋଦଙ୍କ ନାଁରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି ‘ଉଡ଼ାନ୍‌’ । ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳି ଦେଶ ପାଇଁ ୫ ଟି ସ୍ୱର୍ଣ୍ଣ , ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଚ ପଦକ ଜିତିଛନ୍ତି । ୧୯ ପଦକ ସହ ୨୪ ତମ ସ୍ଥାନରେ ରହି ଭାରତ ଚଳିତ ପାରାଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। 

Related Posts