ସୁରଜପୁର କଲେକ୍ଟର ଚାପୁଡ଼ା ମାରିଥିବା ଯୁବକଙ୍କୁ ନୂଆ ଫୋନ୍ ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲକଡାଉନ ସମୟରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଏବଂ ଫୋନ୍ ଛଡାଇ ଭାଙ୍ଗି ଦେବା ମାମଲାରେ ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ପଦରୁ ହଟାଇ ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଏହା ସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉକ୍ତ ଯୁବକଙ୍କୁ କ୍ଷତିପୂରଣ ହିସାବରେ ଏକ ନୂଆ ମୋବାଇଲ ଫୋନ ଦିଆଯିବ। ସୂଚନାଯୋଗ୍ୟ, ଜିଲ୍ଲାପାଳ ରଣବୀର ଶର୍ମା ଲକଡାଉନରେ ଔଷଧ କିଣିବାକୁ ଯାଇଥିବା ଯୁବକଙ୍କୁ ଚାପୁଡା ମାରିବା ସହ ତାଙ୍କ ଫୋନ ଭାଙ୍ଗି ଦେବା ଘଟଣା ଭିଡିଓରେ ଦେଖିବାକୁ ମିଳିଥିଲା ।

ସିଏମଓ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ , “ ଲକଡାଉନ ସମୟରେ ଜିଲ୍ଲାପାଳ ଯୁବକଙ୍କୁ ଚାପୁଡା ମାରିବା ସହ ତାଙ୍କ ଫୋନ ଭାଙ୍ଗି ଦେବା ଘଟଣାରେ ଉକ୍ତ ଯୁବକଙ୍କୁ କ୍ଷତିପୂରଣ ବାବଦକୁ ଏକ ନୂଆ ମୋବାଇଲ୍ ଫୋନ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ତୀବ୍ର ନିନ୍ଦା କରିଛି ଛତିଶଗଡ ଆଇଏଏସ୍ ଆସୋସିଏସନ । ଆସୋସିଏସନ କହିଛି ଯେ ତାଙ୍କ ପରି ଜଣେ ବରିଷ୍ଠ ଅଧିକାରୀଙ୍କ ଏଭଳି ଆଚରଣ ଗ୍ରହଣ ଯୋଗ୍ଯ ନୁହେଁ । ଏବଂ ଯୁବକଙ୍କ ଫୋନ ଭାଙ୍ଗିଥିବାରୁ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ଆୟରୁ କ୍ଷତିପୂରଣ ଦେବାକୁ ଆସୋସିଏସନ ପରାମର୍ଶ ଦେଇଛି । ଛତିଶଗଡ ଆଇଏଏସ୍ ଆସୋସିଏସନର ସଭାପତି ଏକ ବିବୃତ୍ତିରେ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଏଥିପାଇଁ ଜିଲ୍ଲାପାଳ କ୍ଷମା ମାଗିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ମାସ୍କ ଲଗାଇଥିବା ଯୁବକଙ୍କୁ ଯେତେବେଳେ ପୋଲିସ ଅଟକାଇଲେ, ସେ ଜିଲ୍ଲାପାଳଙ୍କୁ କାଗଜ ଓ ମୋବାଇଲ ଫୋନରେ କିଛି ଦେଖାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଜିଲ୍ଲାପାଳ ଯୁବକଙ୍କ ହାତରୁ ଫୋନ ଛଡାଇ ତଳେ ଫିଙ୍ଗି ଦେଇଥିଲେ । ଯୁବକ ଜଣଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀ ଯୁବକଙ୍କୁ ମାଡ ମାରିଥିଲେ । ଜିଲ୍ଲାପାଳ ଯୁବକଙ୍କୁ ମାଡ ମାରିବାକୁ ଆଦେଶ ଦେଉଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳିଛି ।

Related Posts