କେବଳ କେନ୍ଦ୍ର ସରକାର, ରାଜ୍ୟମାନଙ୍କ ସହ କଥା ହେବନାହିଁ : ଟିକା ସପ୍ଲାଏ ନେଇ କଂପାନୀ ମାନେ ସିଧାସଳଖ ମନା କରିଦେଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାରା ଦେଶରେ ଏବେ ଟିକାର ଘୋର ଅଭାବ ଦେଖାଦେଇଛି। କେନ୍ଦ୍ର ସରକାର ବି ଟିକା କିଣିବା ପାଇଁ ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥା ମାନଙ୍କୁ ଅନୁମତି ଦେଇଛନ୍ତି। ବିଦେଶରୁ ଟିକା କିଣିବାକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି । କିନ୍ତୁ ବିଦେଶୀ କମ୍ପାନୀ ଗୁଡିକ ରାଜ୍ୟ ସରକାର ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ଟିକା ଦେବାକୁ ପସନ୍ଦ କରୁଛନ୍ତି। ବିଦେଶୀ କମ୍ପାନୀ ସଫା ସଫା ଶୁଣାଇ ଦେଇଛନ୍ତି ଯେ ସେମାନେ କେବଳ କେନ୍ଦ୍ର ସରକାରଙ୍କ ସହ ଡିଲ୍ କରିବେ ନା କି ରାଜ୍ୟ ସରକାରଙ୍କ ସହିତ। ଆମେରିକାର ମାସାଚୁସେଟ୍ସ ଭିତ୍ତିକ ବାୟୋଟେକ୍ନୋଲୋଜି କମ୍ପାନୀ ମୋଡେର୍ଣ୍ଣା ପଞ୍ଜାବ ସରକାରକୁ ସିଧାସଳଖ ଟିକା ଦେଇପାରିବନି ବୋଲି କହିଦେଇଛି। ଆମେରିକାର ଫାର୍ମ କମ୍ପାନୀ କହିଛି ଯେ ନିୟମ ଅନୁଯାୟୀ ମୋଡେର୍ଣ୍ଣା କେବଳ କେନ୍ଦ୍ର ସରକାର ସହିତ ଏ ସମ୍ପର୍କରେ ଆଲୋଚନା କରିବ । ନିକଟରେ ଓଡ଼ିଶା ସରକାର ମଧ୍ୟ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଜାରି କରିଛନ୍ତି। ମୋଡେର୍ଣ୍ଣା ଏବଂ ଫାଇଜର କେନ୍ଦ୍ର ସରକାରଙ୍କୁ ଟିକା ଦେବ ବୋଲି କହିଥିବା ବେଳେ ଏବେ ଓଡିଶା ସରକାର ବିଦେଶର ଟିକା ଆଣି ପାରିବେ କି ନାହିଁ ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ପଞ୍ଜାବ ନୋଡାଲ ଅଧିକାରୀ ବିକାଶ ଗର୍ଗ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ସ୍ପଟନିକ୍ ଭି, ଫାଇଜର, ମୋଡେର୍ଣ୍ଣା, ଏବଂ ଜନସନ ଆଣ୍ଡ ଜନସନ ସମେତ ଅନ୍ୟାନ୍ୟ ଟିକା କମ୍ପାନୀ ପାଖକୁ ଯାଇଛନ୍ତି। ତେବେ ମୋଡେର୍ଣ୍ଣା କମ୍ପାନୀ ପାଖରୁ ପଞ୍ଜାବ ସରକାର ଉତ୍ତର ପାଇଛନ୍ତି। କରୋନା ଟିକା ଉତ୍ପାଦନକାରୀ ମୋଡେର୍ଣ୍ଣା କମ୍ପାନୀ ତାର ନୀତି ଅନୁଯାୟୀ ପଞ୍ଜାବ ସରକାରଙ୍କୁ ସିଧାସଳଖ ଟିକା ପଠାଇବାକୁ ମନା କରି ଦେଇଛି। ସେମାନେ କେବଳ କେନ୍ଦ୍ର ସରକାରଙ୍କ ସହ କାରବାର କରୁଛନ୍ତି ବୋଲି କହିଛନ୍ତି ।ରାଜ୍ୟର ଚାହିଦା ତୁଳନାରେ ଟିକା ଉପଲବ୍ଧ ନାହିଁ। ତେଣୁ ଗତ କିଛି ଦିନ ହେବ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବନ୍ଦ କରିବାକୁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି। ଶନିବାର ପଞ୍ଜାବ ୬୬ ହଜାର ଟିକା ଅର୍ଡର କରି ପାଇଛି। ପଞ୍ଜାବ ସରକାର ମୋଟ୍ ୪.୨ ଲକ୍ଷ ଟିକା ଡୋଜ କିଣିବା ପାଇଁ ଯୋଜନା କରିଛନ୍ତି। ସୂଚନାଯୋଗ୍ୟ ମୋଡେର୍ଣ୍ଣା ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦ୍ୱାରା ଅନୁମତି ପ୍ରାପ୍ତ। କାନାଡା, ଆମେରିକା ଏବଂ ବ୍ରିଟେନ ସମେତ ବିଶ୍ୱର ୫୦ରୁ ଅଧିକ ଦେଶରେ ଏହି ଟିକା ବ୍ୟବହୃତ ହେଉଛି। ଏ ପର୍ଯ୍ୟନ୍ତ, ବିଶ୍ୱରେ ୯୦ ମିଲିଅନ ଲୋକ ମୋଡେର୍ଣ୍ଣା ଟିକା ନେଇଥିବା ସୂଚନା ରହିଛି। Pfizer ଏବଂ BioNTech ବର୍ଷ ଶେଷ ସୁଦ୍ଧା ଉତ୍ପାଦନକୁ 2.5 ବିଲିୟନ ଡ଼ୋଜକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଉଦାହରଣ ସ୍ୱରୂପ, ମୋଡର୍ନା ଚଳିତ ବର୍ଷ 800 ନିୟୁତରୁ ଏକ ବିଲିୟନ ସଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨୦୨୨ ରେ ଉତ୍ପାଦନ ୩ ​​ବିଲିୟନ ଡୋଜ ଛୁଇଁବ ବୋଲି ଆକଳନ କରାଯାଇଛି।

Related Posts