କିମ୍ବଦନ୍ତୀ ଧାବକଙ୍କ ସ୍ମୃତିରେ ପଟିଆଲା ସ୍ପୋର୍ଟସ ୟୁନିଭରସିଟିରେ ମିଲଖା ସିଂ ଚେୟାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ସ୍ମୃତିରେ ପଞ୍ଜାବର ପଟିଆଲା ସ୍ପୋର୍ଟସ ୟୁନିଭରସିଟିରେ ମିଲଖା ସିଂ ଚେୟାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଶନିବାର ସେ ଏହି ଘୋଷଣା କରି କହିଛନ୍ତି ଯେ, “ଆମେ ତାଙ୍କୁ ପଞ୍ଜାବରେ ଏକ ରାଜ୍ୟ ସମାଧି ପ୍ରଦାନ କରୁଛୁ। ଏଥିପାଇଁ ଗୋଟିଏ ଦିନ ଛୁଟି ଘୋଷଣା କରିଛୁ। ମିଲଖା ସିଂଙ୍କ ପରଲୋକ ପଞ୍ଜାବ ପାଇଁ ଏକ ବହୁତ ବଡ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯୁବ ପିଢି ତାଙ୍କ ଦ୍ୱାରା ଅନୁପ୍ରାଣିତ ହେବେ। ଏଥିପାଇଁ ପଞ୍ଜାବର ପଟିଆଲା ସ୍ପୋର୍ଟସ ୟୁନିଭରସିଟିରେ ମିଲଖା ସିଂ ଚେୟାର ଘୋଷଣା କରିଛନ୍ତି। ଶନିବାର ଦିନ ମୁଖ୍ୟମନ୍ତ୍ରୀ ଚଣ୍ଡିଗଡ଼ରେ ସ୍ୱର୍ଗତ ମିଲଖା ସିଂଙ୍କ ବାସଭବନ ପରିଦର୍ଶନ କରି ତାଙ୍କ ପରିବାରକୁ ଭେଟିଥିଲେ।କ୍ୟାପଟେନ ଅମରିନ୍ଦର ସିଂ ଟ୍ୱିଟ୍ କରି କହିଛନ୍ତି ଯେ, “ମିଲଖା ସିଂ ଜୀଙ୍କର ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏହା ଏକ ଯୁଗର ଅବସାନ ଘଟିଛି। ସମ୍ପୂର୍ଣ୍ଣ ଭାରତ ଏବଂ ପଞ୍ଜାବ ଏଥିପାଇଁ ଦୁଃଖିତ ଅଟେ। ଶୋକସନ୍ତପ୍ତ ପରିବାର ତଥା ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ମୋର ସମବେଦନା। ” କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ୧୮ ଜୁନ୍ ବିଳମ୍ବିତ ରାତିରେ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ପ୍ରାୟ ମାସେ ହେବ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁର ୫ ଦିନ ପୂର୍ବରୁ ତାଙ୍କ ପତ୍ନୀ ନିର୍ମଳାଙ୍କ ଦେହାନ୍ତ ହୋଇଥିଲା । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା ।୧୯୬୦ ରୋମ ଅଲିମ୍ପିକ୍ସରେ ୪୦୦ ମିଟର ଫାଇନାଲରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଂଚିତ ହୋଇଥିଲେ। ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ମଧ୍ୟ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। କିମ୍ବଦନ୍ତୀ ଆଥଲେଟ୍ ଚାରିଥର ଏସୀୟ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା । ସେ ଏସିଆ ଏବଂ କମନୱେଲଥ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଥିବା ଏକମାତ୍ର ଭାରତୀୟ ଆଥଲେଟ୍ ଅଟନ୍ତି। ତାଙ୍କର ସଫଳତାକୁ ସମ୍ମାନ ଜଣାଇ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା।

Related Posts