ଆଜି ପଦ୍ମ ଧରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯାହା ଅନୁମାନ କରାଯାଉଥିଲା ତାହା ଶେଷରେ ସତ ହେଲା । ଆଜି ପଦ୍ମ ଧରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂ ।ଏହା ସହ ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟ ବିଜେପିରେ ବିଲୟ ହେବ। ଆଜି ଅପରାହ୍ନ ୪ଟା୩୦ରେ ବିଦ୍ଧିବଦ୍ଧ ଭାବେ କ୍ୟାପଟେନ ବିଜେପିର ସଦସ୍ୟତା ଗ୍ରହଣ କରିବେ। ଏଥିପାଇଁ ରବିବାର ରାତିରୁ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି ଅମରିନ୍ଦର । ତାଙ୍କ ସହ ପତ୍ନୀ, ପୁଅ ଓ ପଞ୍ଜାବର ଅନେକ ପୂର୍ବତନ ବିଧାୟକ ମଧ୍ୟ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି ।

ସୂଚନା ଅନୁଶାରେ ଆଜି କ୍ୟାପଟେନ ଅମରିନ୍ଦରଙ୍କ ସହିତ ପଞ୍ଜାବର ୭-୮ ଜଣ ପୂର୍ବତନ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେବେ । ନୂଆଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ସଦସ୍ୟତା ଗ୍ରହଣ କରିବେ । ଏହାସହ କ୍ୟାପଟେନଙ୍କ ପୁଅ ରଣିନ୍ଦର ସିଂ, ଝିଅ ଜୟ ଇନ୍ଦର ଏବଂ ନାତି ନିରୱାନ ସିଂ ମଧ୍ୟ ବିଜେପିରେ ଯୋଗ ଦେବେ । କିଛି ଦିନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ କ୍ୟାପଟେନ ଅମରିନ୍ଦର ସିଂ ।

ସୂଚନାଯୋଗ୍ୟ ଯେ, କ୍ୟାପଟେନ ଅମରିନ୍ଦର୍ ସିଂହ ପଞ୍ଜାବର ପୂର୍ବ କଂଗ୍ରେସ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲା। ଏଥିରେ କ୍ଷୁବ୍ଧ ହୋଇ ସେ କଂଗ୍ରେସ ଛାଡିଥିଲେ ଓ ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିଲେ। ନିକଟରେ ସାରିଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରି ନିର୍ବାଚନ ମଧ୍ୟ ଲଢ଼ିଥିଲା। ହେଲେ ଏଥିରେ ସେ ବିଫଳ ହୋଇଥିଲେ। ଏହାପରେ ତାଙ୍କ ଦଳକୁ ବିଜେପିରେ ବିଲୟ କରି ସେ ଉପ ରାଷ୍ଟ୍ରପତି ହେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ହେଲେ ସେଭଳି କିଛି ଘଟି ନଥିବା ବେଳେ ଆଜି ତାଙ୍କ ଦଳ ବିଜେପିରେ ବିଲୟ ହେବ ବୋଲି ସୂଚନା ମିଳିଛି।

Related Posts