ଫାଦର୍ଶ ଡେ ର କାହାଣୀ – ଝିଅର ଅନଲାଇନ୍ କ୍ଲାସ୍ ପାଇଁ ମୁଷଳଧାର ବର୍ଷାରେ ବାପାର ଛତା ଧରି ଠିଆ ହେବା ଫୋଟୋ ଏବେ ଭାଇରାଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ପିତୃ ଦିବସ। ଏହି ଅବସରରେ ପିତାଙ୍କ ପ୍ରତି ଛୁଆ ମାନଙ୍କର ଭକ୍ତି ଭାବ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ପକ୍ଷରେ ପିତା ମାନଙ୍କର ସନ୍ତାନ ମାନଙ୍କ ପ୍ରତି ଭଲପାଇବାର ଭିନ୍ନ ଭିନ୍ନ ଉଦାହରଣ ଦେଖିବାକୁ ମିଳୁଛି। ବାପ ଝିଅଙ୍କ ଏମିତି ଏକ ହୃଦୟସ୍ପର୍ଶୀ ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ପ୍ରବଳ ବର୍ଷା ହେଉଥିବା ସତ୍ବେ ଜଣେ ବ୍ୟକ୍ତି ଛତା ଧରି ଠିଆ ହୋଇଛନ୍ତି। ଛତା ତଳେ ତାଙ୍କ ଝିଅ ଅନଲାଇନ କ୍ଲାସ କରୁଛି। ଏହି ଫଟୋଟି ହେଉଛି କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାର ସୁଲିଆ ତାଲୁକର ଗାଁର। କୋଭିଡ୍-19 ମହାମାରୀ ପାଇଁ ପିଲାଙ୍କ ପାଠପଢା ଏବେ ଅନଲାଇନରେ ଚାଲିଛି। ତେବେ ଘରେ ନେଟୱାର୍କ ସମସ୍ୟା ପାଇଁ ପ୍ରତିଦିନ ୪ଟା ବେଳେ ବାପା-ଝିଅ ଘରଠାରୁ ଦୂରକୁ ଯାଇ ଅନଲାଇନ କ୍ଲାସ କରୁଥିଲା । ବର୍ଷା ହେବାରୁ ଝିଅର SSLC ଅନଲାଇନ କ୍ଲାସରେ କୌଣସି ବାଧା ନ ଉପୁଜୁ, ସେଥିପାଇଁ ପ୍ରବଳ ବର୍ଷାରୁ ଝିଅକୁ ସୁରକ୍ଷା ଦେବା ପାଇଁ ବାପା ଛତା ଧରି ଠିଆ ହୋଇଥିଲେ । ମହାମାରୀ ବେଳେ ପିଲାଙ୍କ ପାଠପଢାର ଏକମାତ୍ର ବିକଳ୍ପ ପାଲଟିଥିବା ଅନଲାଇନ କ୍ଲାସରେ ପିଲାଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ଦ୍ବାରା ପିଲା ମାନଙ୍କର ଏକାଡେମୀ କ୍ୟାରିୟର ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ଅନଲାଇନ୍ କ୍ଲାସରେ ଯୋଗଦେବା ପାଇଁ ସ୍ଥାନୀୟ ବାସିନ୍ଦା BSNL ନେଟୱାର୍କ ଉପରେ ନିର୍ଭର କରନ୍ତି । ଏହି ଅଞ୍ଚଳରେ ବିଦ୍ୟୁତ୍ କାଟ ହେଲେ ମୋବାଇଲ୍ କାମ କରେ ନାହିଁ । ଅନଲାଇନ୍ କ୍ଲାସ କରିବା ପାଇଁ 3G ନେଟୱାର୍କ ଆବଶ୍ୟକ । ନେଟୱାର୍କ ସମସ୍ୟା ପାଇଁ ବହୁ ପିଲା ଘର ବାହାରକୁ ଯାଇ ଅନଲାଇନ କ୍ଲାସ କରୁଛନ୍ତି । ଏପରିକି ଉପାନ୍ତ ଅଞ୍ଚଳର କିଛି ପିଲା ଅନଲାଇନ କ୍ଲାସ ପାଇଁ ପାହାଡ ଉପରକୁ ଯାଉଥିବା ଦେଖିବାକୁ ମିଳୁଛି । 

Related Posts