ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ଆସନ ଏବେ ପୁଣି ଚର୍ଚ୍ଚାରେ। ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀ କୋଲକାତା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଭୋଟ୍ ଗଣତିରେ ହେରଫେର ହୋଇଛି। ସୂଚନା ମୁତାବକ ଶୁକ୍ରବାର ଦିନ କୋଲକାତା ହାଇକୋର୍ଟର ଏକ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଜଷ୍ଟିସ କୌଶିକ ଚନ୍ଦ୍ରଙ୍କ ବେଞ୍ଜ ଏହି ମାମଲାର ଶୁଣାଣି କରିବେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଦିନ ୧୧ ରାଉଣ୍ଡ ଗଣତି ବେଳକୁ ମମତା ବାନାର୍ଜୀ ତାଙ୍କର ପ୍ରତିଦ୍ୱନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆଗରେ ଥିଲେ କିନ୍ତୁ ପରବର୍ତ୍ତୀ ଚାରି ରାଉଣ୍ଡ ଗଣତିରେ ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛେଇ ଯାଇଥିଲେ। ନନ୍ଦିଗ୍ରାମ ବିଧାନସଭା ଆସନରୁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୭୦୦ ଖଣ୍ଡ ଭୋଟରେ ପରାସ୍ତ ହୋଇଥିବା ନେଇ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ତେବେ ରୋଚକ କଥାଟି ହେଉଛି ପ୍ରଥମେ ମମତା ନିଜ ପ୍ରତିଦ୍ୱନ୍ଦୀଙ୍କ ପାଖରୁ ୧୨୦୦ ଭୋଟରେ ବିଜୟୀ ହୋଇଥିଲେ ବୋଲି କୁହାଯାଇଥିଲା। ଏ ନେଇ ରାଜ୍ୟପାଳ ଜଗଦୀପ ଧନକଡ ମଧ୍ୟ ମମତା ବାନାର୍ଜୀଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ। କିନ୍ତୁ ପରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ପରାସ୍ତ ହୋଇଥିବା ନେଇ ନିର୍ବାଚନ କମିଶନର ଘୋଷଣା କରିଥିଲେ।ଏହାପରେ ଭୋଟ୍ ଗଣତିରେ ଅନିୟମିତତା ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ। ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, “ତାଙ୍କୁ ଏକ ଏସଏମଏସ ଆସିଥିଲା ଯେଉଁଥିରେ ଲେଖାଥିଲା ଯେ ନନ୍ଦିଗ୍ରାମର ରିଟର୍ନିଂ ଅଫିସର ଯଦି ସେ ପୁନଃଗଣନା କରିବାକୁ ଅନୁମତି ଦିଅନ୍ତି ତା’ହେଲେ ତାଙ୍କ ଜୀବନ ବିପଦରେ ପଡ଼ିବ। ତେଣୁ ସେ ଏଥିପାଇଁ ନିର୍ଦ୍ଦେଶ ଦେଇ ପାରିବି ନାହିଁ। “

Related Posts