ପୁରୀରେ ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବିମାନବନ୍ଦର, ସର୍ଭେ କଲେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଟିମ୍

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପୁରୀରେ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବିମାନବନ୍ଦର । ଏନେଇ ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଟିମ୍ ପକ୍ଷରୁ ସର୍ଭେ କରାଯାଇଛି । ଏହି ସର୍ଭେରେ ଦିଲ୍ଲୀର ୪ଜଣ ଏବଂ ଭୁବନେଶ୍ବରର ୨ ଜଣ ବିମାନବନ୍ଦର ବିଶେଷଜ୍ଞ ଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ତାଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ତେବେ ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଏବଂ ସିପସରୁବାଲି ଅଂଚଳ ଜାଗାର ସର୍ଭେ କରାଯାଇଛି । ଏହା ସହ ବାଲୁଖଣ୍ଡ ଅଂଚଳର ଦୁଇଟି ଜାଗାକୁ ମଧ୍ୟ ପରିଦର୍ଶନ କରିଛନ୍ତି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଟିମ୍ । ଏହି ଟିମ ଜମିର ମ୍ୟାପ ଓ କାଗଜପତ୍ରର ଅନୁଧ୍ୟାନ କରିଥିବାର ସୂଚନା ମିଳିଛି । ଅପରିପକ୍ଷେ ଦୁଇଦିନିଆ ଗସ୍ତରେ ଆସିଥିବା ଏହି ଟିମ୍ ଜିଲ୍ଲାପ୍ରଶାସନର ପ୍ରସ୍ତାବିତ ଜମିର ସମୀକ୍ଷା ମଧ୍ୟ କରିବେ । ଏନେଇ ଆଜି ସନ୍ଧ୍ୟାବେଳେ ଜିଲ୍ଲା ପ୍ରଶାସନ ସହ ଏହି ଟିମ୍ ସ୍ୱତନ୍ତ୍ର ଆଲୋଚନା କରିବେ । ଅନ୍ୟପଟେ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ କରାଯାଇଥିଲା । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଟିମ୍ ଜମି ଦେଖି ମଞ୍ଜୁରୀ ଦେବା ମାତ୍ରେ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।


ତେବେ ଚଳିତ ବର୍ଷ ଜାନୁଆରୀ 1 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ପୁରୀର ପ୍ରଭୁ ଜଗନ୍ନାଥଙ୍କ ନାମରେ ନାମିତ ଏକ ବିମାନବନ୍ଦର ଦାବି କରିଥିଲେ। ପ୍ରସ୍ତାବିତ ବିମାନବନ୍ଦର ପ୍ରକଳ୍ପ ସଂପର୍କରେ ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ସରକାର ଏବଂ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନର ଅଧିକାରୀମାନଙ୍କ ସହିତ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ରାଜ୍ୟ ସରକାର ପ୍ରଦାନ କରିଥିବା ତଥ୍ୟକୁ ଆଧାର କରି ଏହି ପ୍ରକଳ୍ପ ପାଇଁ ପ୍ରି-ଫିଜିବିଲିଟିକୁ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଅପରିପକ୍ଷେ ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହର ଭାବରେ ପରିଣତ କରିବା ପାଇଁ ସୈନ୍ଦର୍ଯ୍ୟକରଣ ପ୍ରକଳ୍ପ ଚାଲିଥିବାବେଳେ ଅନ୍ତର୍ଜାତୀୟ ବିମାନବନ୍ଦର ସେବା ପର୍ଯ୍ୟଟନ ଏବଂ ଆର୍ଥିକ କ୍ଷେତ୍ରକୁ ବୃଦ୍ଧି କରିବ ବୋଲି ଅନୁମାନ କରାଯାଉଛି ।

Related Posts