ବାତ୍ୟା ସମୟରେ ବି ଅସହଯୋଗ କରୁଥିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’ ଦ୍ବାରା ଓଡିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପ୍ରଭାବିତ ହେବାର ସମ୍ଭାବନା ରହିଛି। କିନ୍ତୁ ଏଭଳି ବିପଦ ସମୟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଅସହଯୋଗ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଏଭଳି ଗମ୍ଭୀର ଆରୋପ ଲଗାଇଛନ୍ତି ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି କେନ୍ଦ୍ର ପ୍ରତିଶ୍ରୁତି ଦେଇଥିବା ସତ୍ବେ ଅଗ୍ରୀମ ସହାୟତା ରାଶି ପ୍ରଦାନ କରିବାରେ ପାତର ଅନ୍ତର କରିଛି। ତାଙ୍କର ଆରୋପ ହେଉଛି ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଛୋଟ ରାଜ୍ୟ ହୋଇଥିବା ସତ୍ତ୍ୱେ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ଏହି ଦୁଇ ରାଜ୍ୟକୁ ୬୦୦କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ପଶ୍ଚିମବଙ୍ଗ ବଡ ରାଜ୍ୟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ମାତ୍ର ୪୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ବାତ୍ୟା ମୁକାବିଲାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ସବୁ ପ୍ରକାର ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପଶ୍ଚିମବଙ୍ଗ ରାଜ୍ୟକୁ କାହିଁକି ଏତେ ଅବହେଳା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ଆମର ପଡୋଶୀ ରାଜ୍ୟ। ସେମାନଙ୍କ କେତେ ସହାୟତା ରାଶି ଦିଆଗଲା ସେଥିପାଇଁ ମୋର ଆପତ୍ତି ନାହିଁ। କିନ୍ତୁ ପଶ୍ଚିମବଙ୍ଗ ବଡ ରାଜ୍ୟ ହୋଇଥିବାରୁ ତାଙ୍କୁ କାହିଁକି ଅଧିକ ସହାୟତା ଦିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମମତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆପଣ ୟୁପିକୁ କଣ ପଣ୍ଡିଚେରୀ ସହିତ ତୁଳନା କରିପାରିବେ କି? ଅମିତ୍ ଶାହାଙ୍କ ସହ ହୋଇଥିବା ବୈଠକରେ ସେ ଏଭଳି ପ୍ରଶ୍ନ କରିବା ପରେ ଅମିତ ଶାହା କହିଥିଲେ ଯେ ଏପରି ନିଷ୍ପତ୍ତି ନେବା ପୂର୍ବରୁ ବୈଜ୍ଞାନିକ ଦୃଷ୍ଟିକୋଣକୁ ବିଚାରକୁ ନିଆଯାଏ। ସେ କହିଛନ୍ତି, “ଗୃହମନ୍ତ୍ରୀ ମୋତେ କହିଥିଲେ ଯେ ଏହି ବିଷୟରେ ପରେ ଆଲୋଚନା କରାଯିବ। ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଏହା ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ନିର୍ଭର କରେ। ମମତା ବାନାର୍ଜୀ କହିଛନ୍ତି ଯେ ସେ ଏହାର ଉତ୍ତର ଦେଇ ନଥିଲେ କାରଣ ତାଙ୍କର ରାଜନୈତିକ ବିଜ୍ଞାନ ବିଷୟରେ ଜ୍ଞାନ ଥିବାରୁ ଚୁପ୍ ରହିଥିଲେ ବୋଲି କହିଥିଲେ। ” ତେବେ 2019 ରେ ସାଇକ୍ଲୋନ ବୁଲବୁଲ ଏବଂ ଆମ୍ଫାନ ପଶ୍ଚିମବଙ୍ଗ ରାଜ୍ୟକୁ ପ୍ରଭାବିତ କରିଥିବା ସତ୍ତ୍ୱେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଯଥେଷ୍ଟ ସହଯୋଗ କରିନଥିଲେ ବୋଲି ସେ ଆରୋପ ଲଗାଇଛନ୍ତି । କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ର ଦେଇଥିବା ଏକ ହଜାର କୋଟି ଟଙ୍କା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ସେହିପରି କୋଭିଡ୍ ସଙ୍କଟ ସମୟରେ କେନ୍ଦ୍ର ଅସହଯୋଗ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।

Related Posts