ମୟୁରଭଞ୍ଜର ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୟୁରଭଞ୍ଜରୁ ବାରଣାସୀକୁ ତୀର୍ଥ ପାଇଁ ଯାଇଥିବା ଏକ ତୀର୍ଥଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡର ହଜାରିବାଗ‌ରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି।ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ତୀର୍ଥ ଯାତ୍ରୀମାନଙ୍କ ମଧ୍ୟ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜ ଜିଲ୍ଲାର ଲୋକମାନେ ରହୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡର ହଜାରିବାଗ-କଟକମସାଣ୍ଡି ମୁଖ୍ୟ ରାସ୍ତାରେ କନୌଦା ଘାଟିର ଏକ ବଙ୍କାଣି ସ୍ଥାନରେ ଓଡ଼ିଶକୁ ଫେରୁଥିବା ଏକ ତୀର୍ଥ ଯାତ୍ରୀଙ୍କ ବସ୍‌ ଅନ୍ୟ ଏକ ଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ସମୟରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାସହିତ ୨୯ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।

Related Posts