ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଏହାପରେ ତାଙ୍କୁ ଗୁରୁଗ୍ରାମ ଠାରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ତେବେ ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ ।ମିଳିଥିବା ସୂଚନା ଅନୁସାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଶୀଲ କଟାରିଆ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଗଣମାଧ୍ୟମର ରିପୋର୍ଟ ମୁତାବକ ପିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଜାଣିବା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବେ ଲକ୍ଷ୍ନୌରୁ ଗୁରୁଗ୍ରାମ ଅଭିମୁଖେ ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିଗତ କିଛିଦିନ ହେବ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ନିକଟରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା କରାଯାଇ ଘରକୁ ଅଣାଯାଇଥିଲା । ୮୨ ବର୍ଷିୟ ମୁଲାୟମ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଏହାସହ ତାଙ୍କର ପରିଶ୍ରା ନଳୀ ବି ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

Related Posts