ନବ ଦାସଙ୍କ ସ୍ମୃତିସଭାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୯/୨ (ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ମୃତିସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସେ ନବ କିଶୋର ଦାସଙ୍କ ପତ୍ନୀ ଝିଅ ଦିପାଳି ଓ ପୁଅ ବିଶାଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ଝାରସୁଗୁଡ଼ାର ସରବାହାଲଠାରେ ଆୟୋଜିତ ଏହି ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ଓ ବିଧାୟକ ଉପସ୍ଥିତ ରହି ନବ ଦାସଙ୍କ ସ୍ମୃତିଚାରଣ କରିଥିଲେ। ସେପଟେ ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀଙ୍କୁ ବି ସେଠାରେ ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିବାପରେ ସେଠାରୁ ହେଲିକପ୍ଟରରେ ଆସି ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ନିକଟରେ ଥିବା ସରବାହାଲ ହାଇସ୍କୁଲ ପଡ଼ିଆକୁ ଯାଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିଲେ। ଏହାପରେ ହେଲିକପ୍ଟରରେ ଝାରସୁଗୁଡା ବିମାନ ବନ୍ଦରକୁ ଯିବା ପରେ ବିମାନରେ ଭୁବନେଶ୍ୱର ଫେରିଛନ୍ତି। ଶ୍ରଦ୍ଧାଞ୍ଜଳି ମଣ୍ଡପ ନିକଟରେ ନବ ଦାସଙ୍କ ବଡ଼ ବଡ଼ ହୋର୍ଡିଂ ସବୁ ଲାଗିଛି। ନବ ବାବୁଙ୍କ ଏହି ଶ୍ରଦ୍ଧାଞ୍ଜଳି ସଭାରେ ୫୦ ହଜାରରୁ ଅଧିକ ଲୋକଙ୍କ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ୪୦ ରୁ ଅଧିକ କାଉଣ୍ଟର ବ୍ୟବସ୍ଥା ହୋଇଛି। ଭିଭିଆଇପି, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଝାରସୁଗୁଡ଼ା ବସ୍‌ଷ୍ଟାଣ୍ଡରୁ ସରବାହଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରହିଛି। ପୁଲିସ ପକ୍ଷରୁ ୧୨ ପଏଣ୍ଟରେ ନାକା ଲଗାଯାଇଚି। ସହରରେ ଟ୍ରାଫିକ ସ୍ବାଭାବିକ ରହିଛି। ଯେଭଳି ସଧାରଣ ଲୋକ ପ୍ରଭାବିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Related Posts