ଆସନ୍ତା ଅଗଷ୍ଟ ୫ ତାରିଖରୁ ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଅଗଷ୍ଟ ୫ ତାରିଖରୁ ୪ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ ଓ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ତେବେ ଗତ ଜୁଲାଇ ୨୬ତାରିଖରେ ୪ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଫେରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୫ତାରିଖରେ ପୁଣିଥରେ ନୂଆଦିଲ୍ଲୀ ଯିବେ । ୬ତାରିଖ ଅପରାହ୍ନ ୪.୩୦ରେ ରାଷ୍ଟ୍ରପତି ଭବନର କଲଚରାଲ ସେଂଟରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକରେ ସାମିଲ ହେବେ ନବୀନ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି ।ଏହାପରେ ୭ ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ‘ନିତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକ’ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୮ତାରିଖରେ ଭୁବନେଶ୍ୱର ଫେରିବାର କାର୍ୟ୍ୟକ୍ରମ ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Related Posts