ଆଜି ବିଶ୍ୱ ପଖାଳ ଦିବସ । ପ୍ରତି ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ପଖାଳ ଖାଇ ଓଡିଆଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ବିଟରରେ ପଖାଳ ଖାଇବାର ଏକ ଭିଡିଓ ସେୟାର କରିଛନ୍ତି । ଏଥିସହ ‘ପଖାଳ’ ମୋର ପସନ୍ଦ ବୋଲି ମଧ୍ୟ କହିଛନ୍ତି । ସମସ୍ତଙ୍କୁ ‘ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି ନବୀନ ।
ଗୁଣ୍ଡାଏ ପଖାଳ ସାଙ୍ଗକୁ ଢୋକେ ତୋରାଣିଯୋଉ ଶାନ୍ତି । ଖରା ଦିନ ଆସିଲେ ଓଡିଶାର ପ୍ରତିଟି ଘରେ ଖୋଜା ପଡେ ପଖାଳ କଂସା । ସେ ଚଷା ପୁଅ ହେଉ କି ବଡବଡିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ବ ହେଉଛି ପଖାଳ । ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ବ ରଖେ କାରଣ ଏହା ହେଉଛି ‘ବିଶ୍ବ ପଖାଳ ଦିବସ’ । ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।ସାଧାରଣତଃ ବିଭିନ୍ନ ରକମର ପଖାଳ ରହିଛି । ହେଲେ ବାସି ପଖାଳର ସ୍ବାଦ ସଜ ପଖାଳ ଅପେକ୍ଷା ଟିକିଏ ନିଆରା । ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ଆଉ ଟିକେ ମାଛ ଭଜା ସହିତ ଭଳିକି ବ୍ୟଞ୍ଜନ ମିଶିଲେ ପଖାଳ ଖାଇବା ମଜା ଆଉ ଟିକେ ବଢିଯାଏ । ଚାଳ ଘରଠୁ ନେଇ ବଡ ହୋଟେଲ ମାନଙ୍କରେ ମଧ୍ୟ ପଖାଳ ପରସା ଗଲାଣି । ପଖାଳ ପ୍ରତି ଲୋକଙ୍କ ବଢୁଥିବା ରୁଚିକୁ ଦେଖି ହୋଟେଲ ମାନଙ୍କରେ ସ୍ବତନ୍ତ୍ର ପ୍ରସ୍ତୁତି ଆଦି ଦେଖିବାକୁ ମିଳେ ।
