ଦାମୀ କାର୍‌ ରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ: ୨ ଜଣ ମାଫିଆଙ୍କ ସହ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ କଲା ରାୟଗଡ଼ା ପୋଲିସ

ରାୟଗଡ଼ା ଜିଲ୍ଲା ବିଷୟକଟକ ଥାନା ନେତାଜୀ ଛକ ନିକଟରୁ ଗଞ୍ଜେଇ ଜବତ କରିଛି ପୋଲିସ । ଏକ ଦାମୀ କାର ଯୋଗେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ । ୨ ଜଣ ମାଫିଆଙ୍କୁ ଗିରଫ ସହ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଖବର ଅନୁଯାୟୀ, ସ୍ଥାନୀୟ ପୋଲିସ ପକ୍ଷରୁ ନେତାଜୀ ଛକ ନିକଟରେ ଚେକିଂ ଚାଲିଥିଲା । ଏହି ସମୟରେ ମୋହନାରୁ ଉତ୍ତରପ୍ରଦେଶକୁ ଏକ ଦାମୀ କାର୍‌ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଜାଣିଥିଲା ପୋଲିସ । ଏହାପରେ ପୋଲିସ ଉକ୍ତ କାର୍‌ ଅଟକ ରଖିବା ସହ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ ସହ ୨ ଜଣ ମାଫିଆଙ୍କୁ କାବୁ କରିଥିଲା ପୋଲିସ । ଗିରଫ ଦୁଇ ଜଣ ହେଲେ କମଲେଶ କୁମାର ଓ ମୁକେଶ କୁମାର । ତେବେ ଉଭୟଙ୍କ ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ସେମାନଙ୍କ ନିକଟରୁ ତିନୋଟି ମୋବାଇଲ୍‌ ସହ ୫୧୪୦ ଟଙ୍କା ଜବତ ହୋଇଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫ ହଜାର ୨୨୫ ଟଙ୍କା ହେବ ବୋଲି ଜଣାପଡିଛି ।

ତେବେ ଏବେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଖୋଳତାଡ଼ ଆରମ୍ଭ କରିଛି । ଏହି ଗଞ୍ଜେଇ କାରବାରରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି । ସେନେଇ ତଦନ୍ତ ଜାରି ରହିଛି ବୋଲି ବିଷମକଟକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related Posts