ଯଦି ଦମ ଅଛି ନବ ଦାସ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ହାଇକୋର୍ଟକୁ ଚିଠି ଲେଖନ୍ତୁ: ନରସିଂହ ମିଶ୍ର

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବ ଦାସ ହତ୍ୟା ମାମଲାରେ ବିବୃତି ରଖିଛନ୍ତି। ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନୀତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି ଉପରେ ବର୍ଷିଥିଲେ।

ଏହି କ୍ରମରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ପ୍ରତିକ୍ରିୟାରେ ନରସିଂହ ମିଶ୍ର କହିଛନ୍ତି, ନବ ଦାସ ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଥିବାରୁ ଧନ୍ୟବାଦ କିନ୍ତୁ ଦୁଃଖର ବିଷୟ ଏଥିରେ ନୁଆ ତଥ୍ୟ ସେ କିଛି ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦାବି ଉପରେ କିଛି କହିଲେ ନାହିଁ। ଏଏସଆଇ ହତ୍ୟା କରିଛି କି ନାହିଁ କେବଳ ତା’ ଉପରେ ତଦନ୍ତ ଚାଲିଛି ବୋଲି କହିଥିଲେ। ଏହା ତ ପୂର୍ବରୁ ସମସ୍ତେ ଜାଣିଛନ୍ତି। ସେ ଅଧିକା କ’ଣ ତଥ୍ୟ ଦେଲେ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି।

ନବ ଦାସଙ୍କ ପରିବାର ଏହି ଘଟଣାକୁ ଏକ ଷଡଯନ୍ତ୍ର ବୋଲି କହିବା ସହିତ ମୁଁ ମଧ୍ୟ କହୁଛି ନବଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି। କାରଣ ଜଣେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ପୁଲିସ କିଭଳି ଭାବେ ନବଙ୍କ ପାଖକୁ ସହଜରେ ଆସିପାରିଲା। ଏହାକୁ ଆଇଆଇସି କେମିତି ଜାଣି ପାରିଲେ ନାହିଁ, ଯଦି ବି ଜାଣି ପାରିଲେ, କାହିଁକି ଅଟକାଇଲେ ନାହିଁ। କ୍ରାଇମବ୍ରାଞ୍ଚ ଠିକ ସେ ଏଦିଗରେ ତଦନ୍ତ କରୁନାହିଁ।

ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ପ୍ରତିକ୍ରିୟା ଆଶା କରି ନଥିଲି। ତେଣୁ ଶୀଘ୍ର ନବ ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସ ଏସଆଇଟି ( ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍) ତଦନ୍ତ ଦାବି କରୁଛି। ମୁଖ୍ୟମନ୍ତ୍ରୀ କହୁଛନ୍ତି ବିଚାର ବିଭାଗ ଉପରେ ଭରସା ନାହିଁ। ଯଦି ବିଚାର ବିଭାଗ ଉପରେ ଭରସା ନାହିଁ ତେବେ କାହା ଉପରେ ଅଛି? ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱର, ଚିନ୍ତାଧାରା ବଦଳାନ୍ତୁ କଂଗ୍ରେସ ଦାବି ମାନନ୍ତୁ। ଯଦି ଦମ ଅଛି ଏସଆଇଟି ତଦନ୍ତ ପାଇଁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖନ୍ତୁ ବୋଲି ନରସିଂହ ଦାବି କରିଛନ୍ତି।

ଓକିଲ ଭାବରେ ମୁଁ ଯେତିକି ଘଟଣା ସାମ୍ନା କରିଛି ଜାଣିଛି ଗୁଳିକୁ ଖୋଜି ବାହାର କରିହବ। କିନ୍ତୁ ଗୁଳି କାହିଁକି ତାଙ୍କ ଶରୀରରୁ ବାହାର କରାଗଲା ନାହିଁ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର କାହିଁକି ନିଆଗଲା? ମୋର ଓକିଲ ଅଭିଜ୍ଞତା କହୁଛି ତଦନ୍ତ ଠିକ ଭାବେ ହେଉନାହିଁ।

ବ୍ୟକ୍ତିଗତ ଶତ୍ରୁତା ପାଇଁ ହତ୍ୟା ହୋଇଥାଇ ପାରେ ବୋଲି ମୁଁ କହୁଛି। କାରଣ ନବ ବାବୁ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିକୁ ଗଲା ପରେ ବିଜେଡି ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ପଶ୍ଚିମ ଓଡ଼ିଶାର ପୂର୍ବତନ ମନ୍ତ୍ରୀଙ୍କ ସହ ତାଙ୍କର ପଡୁ ନଥିଲା । ତେଣୁ ସେ ହାତ୍ୟକାରୀ ହୋଇ ନଥିବେ ବୋଲି କିଏ କହିବ? ଏଥିରୁ କୁହାଯାଇପାରେ ଯେ ପ୍ରକୃତ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନାହିଁ । ଅଥବା ତାଙ୍କ ପାଖରେ ତଥ୍ୟ ଥାଇ ସେ ଲୁଚାଉଛନ୍ତି ବୋଲି ନରସିଂହ କହିଛନ୍ତି।

Related Posts