ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାମରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ ମିଶ୍ର

ଭୁବନେଶ୍ୱର,୧/୩(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ବିଭ୍ରାନ୍ତିକର ତଥ୍ୟ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନାମରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ନରସିଂହ ପଚରିଥିବା ଏକ ପ୍ରଶ୍ନର ଉତ୍ତରରେ ବିଭ୍ରାନ୍ତିକର ତଥ୍ୟ ରହିଛି ଓ କୋର୍ଟ ମନିଟର୍ଡ ତଦନ୍ତ କରାଯିବା କଥା କହାଯାଇଛି। ମାତ୍ର ଏହି ତଥ୍ୟ ଠିକ ନୁହେଁ ବୋଲି ସେ ଦାବି କରିଛନ୍ତି।

ନରସିଂହ କହିଛନ୍ତି ଯେ, ଅବସରପ୍ରାପ୍ତ ବିଚାରପତି ଜେ ପି ଦାସଙ୍କ ନିଯୁକ୍ତି ଏକ ଜୁଡ଼ିସିଆଲ ଅର୍ଡର ଦ୍ବାରା ହୋଇନାହିଁ, କିନ୍ତୁ ଉତ୍ତର ପ୍ରଦେଶର ଖେରୀ ଘଟଣାକୁ ପ୍ରିସିଡେନ୍ସ ଭାବେ ନିଆଯାଇଛି | ଖେରୀ ଘଟଣାରେ ଜୁଡ଼ିସିଆଲ ଅର୍ଡର ଥିଲା କିନ୍ତୁ ଜଷ୍ଟିସ୍ ଜେ ପି ଦାସଙ୍କ ନିଯୁକ୍ତି ଲାଗି ଜୁଡ଼ିସିଆଲ ଅର୍ଡର ନଥିଲା। ତେଣୁ ଭୁଲ ତଥ୍ୟ ଦେଇ ଗୃହକୁ ବିଭ୍ରାନ୍ତ କରାଯାଇଛି। ନବ ଦାସ ହତ୍ୟା ଘଟଣାରେ କ’ଣ ଷଡ଼ଯନ୍ତ୍ର ହୋଇଛି ପ୍ରଶ୍ନର ଉତ୍ତରରେ ତ ଷଡ଼ଯନ୍ତ୍ର କଥା କୁହାଯାଇଛି କିନ୍ତୁ ହତ୍ୟା ଘଟଣାରେ କାହାକୁ ସନ୍ଦେହ କରାଯାଉଛି, ସେ ନେଇ ଉତ୍ତରରେ କିଛି ସ୍ପଷ୍ଟ କରାଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ନରସିଂହ।

ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାକୁ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କ ନୋଟିସ୍ ସ୍ୱତନ୍ତ୍ର ସ୍ବାଧିକାର କମିଟିକୁ ପଠାଯାଉ ଏବଂ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ନରସିଂହ ଦାବି କରିଛନ୍ତି।

ସେପଟେ ନରସିଂହ ଆଣିଥିବା ଏହି ସ୍ୱାଧିକାର ଭଙ୍ଗ ନୋଟିସ ବାଚସ୍ପତି ପାଇଛନ୍ତି ଏବଂ ତାକୁ ଅନୁଧ୍ୟାନ କରାଯାଉଛି ବୋଲି ବାଚସ୍ପତି କହିଛନ୍ତି ।

Related Posts