ଆସନ୍ତା କାଲି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ; ବିମାନବନ୍ଦରରେ ଦିଆଯିବ ସ୍ୱାଗତ ସମ୍ବର୍ଦ୍ଧନା, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୂଆଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବା ପରେ ଆସନ୍ତା କାଲି ଓଡ଼ିଶା ଫେରୁଛନ୍ତି। ଏନେଇ ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି ପୂରା ରାଜଧାନୀରେ ଶୋଭାଯାତ୍ରାର ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ସ୍ୱାଗତ ଉତ୍ସବ ନେଇ କମିଶନରେଟ ପୁଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି।ସୂଚନା ଅନୁସାରେ, ଏହି ସମୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପାଇଁ ୫୦ ହଜାର ଲୋକଙ୍କ ସମାଗମ ସାମ୍ଭାବନା ରହିଛି। ବ୍ୟାପକ ଭିଡ଼ ନିୟନ୍ତ୍ରୟଣ ପାଇଁ ଟ୍ରାଫିକ ବ୍ୟବସ୍ଥା କଡାକଡି ପାଳନ ହେବ। ବିଭିନ୍ନ ସ୍ଥାନରେ ୩ଟି ଅତିରିକ୍ତ ଟ୍ରାଫିକ୍ ପାର୍କିଂ ବ୍ୟବସ୍ଥା କରାଯିବ। ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି।

ଏଭଳି ସ୍ୱାଗତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ପୁଲିସ ସ୍ୱତନ୍ତ୍ର ପରାମର୍ଶ ଜାରି କରିଛି। ବିମାନ ଯାତ୍ରୀ ମାନେ ଧାର୍ଯ୍ୟ ସମୟର ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।

Related Posts