ରାୟଗଡାରେ ଗୁଣିଗାରେଡ଼ି ସନ୍ଦେହ; ପଡୋଶୀ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାୟଗଡ଼ା ସହରର କୋଇଲାପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ଜଣେ ଯୁବକ ହାଣି ହତ୍ୟା କରିଛି। ହତ୍ୟାର ଶିକାର ହୋଇଥିବା ମହିଳା ଙ୍କ ପରିଚୟ ମିଳିଛି, ସେ ହେଲେ ୫୫ବର୍ଷୀୟ ଚନ୍ଦ୍ରମା ବିଭାର । ଆଜି ମଧ୍ୟାହ୍ନ ସମୟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଚନ୍ଦ୍ରମାଙ୍କ ପଡୋଶୀ ଘରେ ରହୁଥିବା ଜଣେ ଯୁବକ ରାଜେଶ କୁଲେସିକା ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣା ପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ରାଜେଶକୁ ଗିରଫ କରିଛି। ହତ୍ୟାକାରୀ ବ୍ୟବହାର କରିଥିବା ଟାଙ୍ଗିଆ ମଧ୍ୟ ପୁଲିସ ଜବତ କରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ଏସପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦିବ୍ୟଜ୍ୟୋତି ଦାସ ସମେତ ଅନ୍ୟ ପୁଲିସ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣିଗାରେଡ଼ି କରୁଥିବା ନେଇ ରାଜେଶ ସନ୍ଦେହ କରୁଥିଲା। ଏ ନେଇ ଉଭୟ ପରିବାର ମଧ୍ୟରେ ପୂର୍ବରୁ ବଚସା ମଧ୍ୟ ହୋଇଥିଲା। ତେବେ ଏଥିରେ ଉତକ୍ଷିପ୍ତ ହୋଇ ଆଜି ମଧ୍ୟାହ୍ନ ସମୟରେ ଅଭିଯୁକ୍ତ ଚନ୍ଦ୍ରମାଙ୍କ ଘରେ ପଶି ଟାଙ୍ଗିଆରେ ହାଣି ଦେଇଥିଲା। ବେକକୁ ହାଣି ଦେବା ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ହତ୍ୟା କରିବା ପରେ ଚନ୍ଦ୍ରମାଙ୍କ ଘରୁ ବାହାରି ସାହିର ଲୋକଙ୍କୁ ରାଜେଶ ଧମକ ମଧ୍ୟ ଦେଇଥିଲା | ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଜାରି ରଖିଛି।

Related Posts