ଚିକିତ୍ସା ନପାଇ ରାସ୍ତାରେ ଚାଲିଗଲା ଜୀବନ

ସତ୍ୟପାଠ ବ୍ୟୁରୋ : ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଖାମଖିଆଲ ମନୋବୃତ୍ତି ପାଇଁ କିପରି ଗୋଟିଏ ନିରୀହ ଶିଶୁର ଜୀବନ ଚାଲିଯାଇ ପାରେ ତାହା ଦେଖିବାକୁ ମିଳିଛି ମୟୁରଭଞ୍ଜର ବେତନଟୀ ଅଞ୍ଚଳରେ। ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଫାର୍ମାସିଷ୍ଟଙ୍କ ବେପରଓ୍ବା ମନୋବୃତ୍ତି ପାଇଁ ଶିଶୁଟି ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଜୀବନ ଚାଲି ଯାଇଥିଲ। ଏଭଳି ଅଭାବନୀୟ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି। ସ୍ବାସ୍ଥ୍ୟ ସେବା ନାଁରେ କିପରି ସାଧାରଣ ଗରୀବ ଲୋକଙ୍କ ଜୀବନ ସହ ଖେଳ ଖେଳାଯାଉଛି ଏହା ତାହାର ଜ୍ବଳନ୍ତ ନମୂନା।

ବେତନଟୀ ବ୍ଲକର ଆମ୍ବଯୋଡା ଗାଁର ନିଶାରଞ୍ଜନ ବେହେରା ଓ ଗୀତା ବେହେରାଙ୍କ ଏକମାତ୍ର ପୁତ୍ର ଜିତ୍ ସୋମବାର ଝାଡାଜ୍ବରରେ ଆକ୍ରାନ୍ତ ହୋଇ ଜିଲ୍ଲା ସଦର ମହକୁମା ରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଶିଶୁଟିକୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ଆମ୍ବୁଲାନ୍ସ ନଂ(OD02BH-1252) ଯୋଗେ ବାରିପଦାରୁ କିଛିବାଟ ଆସିବା ପରେ ଏକ ଢାବାରେ ଉଭୟ ଆମ୍ବୁଲାନ୍ସର ଡ୍ରାଇଭର ଏବଂ ଫାର୍ମାସିଷ୍ଟ ଖାଇଥିଲେ। ଶିଶୁଟିର ମା ଏବଂ ମାଉଷୀ ସାଲାଇନ ଲଗାଇବା ପାଇଁ ଫାର୍ମାସିଷ୍ଟଙ୍କୁ କହିବା ସତ୍ତ୍ବେ ବି ସେ ଧ୍ୟାନ ଦେଇ ନଥିଲେ। ଦୀର୍ଘ ଦୁଇଘଣ୍ଟା ଧରି ଢାବାରେ ଖାଇବା ଦ୍ବାରା ଶିଶୁଟିର ସ୍ବାସ୍ଥ୍ୟ ଗୁରୁତର ହୋଇ ପଡିଥିଲା। ଯେତେ ନେହୁରା ହେଲେବି କାହାରି କଥା ନଶୁଣି ଖାଇବାରେ ବ୍ୟସ୍ତ ରହିଥିଲେ।

ଖାଇସାରିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଓ ଫାର୍ମାସିଷ୍ଟ ଶିଶୁଟିକୁ କଟକ ଅଭିମୂଖେ ନେବାକୁ ବାହାରିବା ବେଳେ ଦେଖିବାକୁ ମିଳିଥିଲା ଶିଶୁଟିର ନିସ୍ତେଜ ହୋଇଯାଇଛି। ଶିଶୁଟିର ଏଭଳି ଅବସ୍ଥା ଦେଖି ତାର ମା ଓ ମାଉସୀ କାନ୍ଦିବାରୁ ବାଧ୍ୟହୋଇ ଡ୍ରାଇଭର ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟ ବିଭାଗର ଖାମଖିଆଲ ନୀତି ପାଇଁ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣାମାନ ଘଟିଚାଲିଛି।

Related Posts