ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ନିଜର ନିର୍ଭିକ ବୟାନ ପାଇଁ ସବୁବେଳେ ବେଶ ଚର୍ଚ୍ଚାରେ ରହିଥାନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ବିପକ୍ଷର କୌଣସି ନେତା ସ୍ୱାମୀ କାହାକୁ ସମାଲୋଚନା କରିବାକୁ ପଛେଇ ନଥାନ୍ତି । ଏହା ମଧ୍ୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ବେଶ ଚର୍ଚ୍ଚାରେ ରହିଛନ୍ତି ସ୍ୱାମୀ । ଏଥର କୌଣସି ରାଜନେତାଙ୍କୁ ନେଇ ନୁହଁ ବରଂ ପଡ଼ୋଶୀ ରାଷ୍ଟ୍ର ଚୀନକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମୋଦୀଙ୍କ ୫୬ ଇଞ୍ଚ ଛାତିରେ ଚୀନ ଆସିକି ବସିଛି, ତଥାପି ମୋଦି ଚୁପ ଅଛନ୍ତି ବୋଲି ସେ ଟ୍ୱିଟ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ପ୍ରୀତମ ସର୍ବବିଦ୍ୟା ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ଖବର ସେୟାର କରିଛନ୍ତି ଯେଉଁଥିରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଆମେରିକାକୁ ଟାର୍ଗେଟ କରି କହିଛି ଯେ ଭାରତ ସହ ଏହାର ସୀମା ବିବାଦ ଦୁଇ ଦେଶ ମଧ୍ୟରେ ରହିଛି। ତେଣୁ ଏହି ବିବାଦରେ କୌଣସି ତୃତୀୟ ଦେଶ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ସମାନ ଖବରକୁ ଟ୍ୱିଟ୍ କରି ଉପଭୋକ୍ତା ତାଙ୍କ ଟ୍ୱିଟରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି ଏବଂ ଲେଖିଛନ୍ତି ଯେ ବର୍ତ୍ତମାନ ଚୀନ୍ ଆମେରିକାରେ ହସ୍ତକ୍ଷେପ ନକରିବାକୁ ଧମକ ଦେଉଛି। ଅନ୍ୟପଟେ ଭାରତ ସହ ଚୀନ ମିଶିକି କାମ କରିଆସୁଛି । ତେଣୁ ଚୀନ ନିଜ କାମ ଉପରେ ହିଁ ଧ୍ୟାନ ଦେବାକୁ ଆମେରିକାକୁ କହିଛି । କାହିଁକିନା ମୋଦୀଙ୍କ ୫୬ ଇଞ୍ଚ ଚଉଡା ଛାତି ଉପରେ ଚୀନ ବସିଛି ଏବଂ ମୋଦୀ ଏହାକୁ ବିରୋଧ ମଧ୍ୟ କରୁନାହାନ୍ତି । ଏହାକୁ ଦେଖିଲେ ଲାଗୁଛି ଯେ ମୋଦୀ ବୋଧେ ଜାଣି ନାହାନ୍ତି, ଚୀନ ତାଙ୍କ ଛାତିରେ ବସିଛି । ତେଣୁ ସେ ‘କୋଇ ଆୟା ନେହି’ର ସ୍ଳୋଗାନ ଦେଉଛନ୍ତି ବୋଲି ଟ୍ୱିଟର ଜବାବ ଦେଇ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ।
ସେପଟେ ୧୨ ଜାନୁଆରୀରେ ଭାରତ ଏବଂ ଚୀନ୍ ମଧ୍ୟରେ ୧୪ ତମ ରାଉଣ୍ଡ ଆଲୋଚନା ହୋଇଥିଲା । ଏହାପୂର୍ବରୁ ହ୍ୱାଇଟ ହାଉସର ମୁଖପାତ୍ର ଜେନ ପାସ୍କି ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଚୀନ୍ ଏହାର ପଡ଼ୋଶୀମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ଏବଂ ଆମେ ଚୀନ୍ର ଏହି ଆଚରଣ ଉପରେ ନଜର ରଖିଛୁ। ଆମେରିକାର ଅଧିକାରୀଙ୍କ ବିବୃତ୍ତିର ଉତ୍ତରରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସୀମା ପ୍ରସଙ୍ଗ ଦ୍ୱିପାକ୍ଷିକ ବିଷୟ ଏବଂ ଉଭୟ ଚୀନ୍ ଏବଂ ଭାରତ ତୃତୀୟ ପକ୍ଷର ହସ୍ତକ୍ଷେପକୁ ବିରୋଧ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନା ସକରାତ୍ମକ ହୋଇଛି।
ସୀମା ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ ଯଦି ଆମେ ଦେଖିବା ତାହାଲେ ଗତ ବର୍ଷ ମେ’ ମାସରେ ଗାଲଭାନ ଭ୍ୟାଲିରେ ସୀମା ବିବାଦକୁ ନେଇ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ । ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଥିଲା । ଏବଂ ଗାଲୱାନରେ ପ୍ରାୟ ୨୦ ଜଣ ଭାରତୀୟ ସୈନିକଙ୍କର ମୃତ୍ୟୁ ହୋଇଥିଲା।
