
ତାଇପେଈ : ଚୀନ ଓ ତାଇଓ୍ବାନ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିବା ବେଳେ, ଚୀନ ତାଇୱାନ ସୀମାରେ ନିଜର ଯୁଦ୍ଧ ଅଭ୍ୟାସ ଜାରୀ ରଖିଛି। ଏଥିସହ ତାଇୱାନ ସୀମାରେ ନିଜର ଗୁପ୍ତଚର ଡ୍ରୋନ ଉଡ଼ାଉଛି । ଯାହାକୁ ନେଇ ତାଇଓ୍ବାନ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି ।
ବିଶେଷକରି ଚୀନର ଡ୍ରୋନଗୁଡ଼ିକ ତାଇଓ୍ବାନର ସାମରିକ ପ୍ରତିଷ୍ଠାନ ଓ ସେନାଛାଉଣୀ ଉପରେ ଉଡ଼ି ଫଟୋ ଉଠାଉଥିବାରୁ ତାଇଓ୍ବାନର ସୁରକ୍ଷା ପ୍ରତି ବିପଦ ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ ଡ୍ରୋନଗୁଡ଼ିକୁ ଦେଖିବା ମାତ୍ରେ ଗୁଳିକରି ଖସେଇଦେବାକୁ ତାଇଓ୍ବାନ ସେନା ନିର୍ଦ୍ଦେଶ ଦେଇଛି । ଏପରିକି ବଡ଼ ଡ୍ରୋନ ହେଲେ ରକେଟ୍ ମାରି ଖସେଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଉତ୍ତେଜନା ପୁଣି ବଢିବାର ସମ୍ଭାବନା ରହିଛି ।
ଗତ ଶନିବାର ଦିନ ଚୀନର ଡ୍ରୋନଗୁଡ଼ିକ ତାଇଓ୍ବାନର କିନମେନଠାରେ ଥିବା ଏକ ସୈନ୍ୟ ଚୌକି ଉପରେ ଉଡ଼ି ଫଟୋ ଉଠାଇଥିଲେ । ଚୀନ ଡ୍ରୋନକୁ ଦେଖିବାପରେ ତାଇଓ୍ବାନ ସୈନିକମାନେ ଚେତାବନୀ ସୂଚକ ଫାୟାର କରିଥିଲେ । ଏହା ପରେ ଡ୍ରୋନଗୁଡ଼ିକ ପଳାଇଯାଇଥିଲେ । ତେବେ ବାରମ୍ବାର ଚୀନ ଡ୍ରୋନଗୁଡ଼ିକ ସୀମା ଲଙ୍ଘନ କରୁଥିବାରୁ ତାଇଓ୍ବାନ ସେନାର ଚିନ୍ତା ବଢିଯାଇଛି । ଏଣିକି ଚେତାବନୀ ସତ୍ତ୍ବେ ଯଦି ଡ୍ରୋନଗୁଡ଼ିକ ଅନୁପ୍ରବେଶ କରନ୍ତି ତେବେ ସେଗୁଡ଼ିକୁ ପ୍ରଥମେ ଚେତାବନୀ ଦିଆଯିବ, ତଥାପି ନମାନିଲେ ଗୁଳି କରି ଖସାଇଦିଆଯିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ତାଇଓ୍ବାନ ସେନାର କିନମେନ ଡିଫେନ୍ସ କମାଣ୍ଡ ପକ୍ଷରୁ କୁହାଯାଇଛି ।