“ପିଲା ଚୋର ପାର୍ଟିର ନେତାମାନେ ମୋତେ କାହିଁକି ଆଙ୍ଗୁଳି ଦେଖାଉଛନ୍ତି”; ବିଜେପିକୁ ଟାର୍ଗେଟ କଲେ ମନୀଷ ସିସୋଦିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ୍ ଆଦମୀ ପାର୍ଟି ଓ ବିଜେପି ଦିଲ୍ଲୀର ଅବକାରୀ ଦୁର୍ନୀତିକୁ ନେଇ ବାରମ୍ବାର ଆମ୍ନା ସାମ୍ନା ହେଉଥିବା ଦେଖିବାକୁ ମିଳୁଛି । ଏହି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦୋଷୀ ବୋଲି ଅଭିଯୋଗ କରୁଛି ବିଜେପି। ଏସବୁ ଭିତରେ ପ୍ରଥମେ ମନୀଷ ସିସୋଦିଆଙ୍କ ଘରେ ରେଡ୍ ଓ ପରେ ଆଜି ସିବିଆଇ ତରଫରୁ ତାଙ୍କ ବ୍ୟାଙ୍କ ଲକର ଯାଞ୍ଚ କରାଯାଇଛି। ତେବେ ଏହି ଯାଞ୍ଚକୁ ନେଇ ବିଧାନସଭାରେ ବିଜେପି ଉପରେ ବର୍ଷିଛନ୍ତି ସିସୋଦିଆ ।ସେ କହିଛନ୍ତି କି ସର୍ବଦା ସତ୍ୟର ବିଜୟ ହୋଇଥାଏ । ଦିଲ୍ଲୀ ବିଧାନସଭା ଭିତରେ ସିସୋଦିଆ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ‘ପିଲା ଚୋର ପାର୍ଟିର ନେତାମାନେ ମୋତେ କାହିଁକି ଆଙ୍ଗୁଳି ଦେଖାଉଛନ୍ତି’ ।

ମନୀଷ ସିସୋଦିଆ ବିଜେପିକୁ ପିଲାଚୋର ପାର୍ଟି କହି ସାରିବା ପରେ ପୁଣି କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋ ଘରକୁ ପଠାଇଥିବା ସିବିଆଇକୁ କଣ ମିଳିଲା ତାହାର ଉତ୍ତର ରଖନ୍ତୁ । ସିସୋଦିଆ ଏଭଳି କହିବା ପରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଚେୟାର ନିକଟକୁ ଆସି ହଟ୍ଟଗୋଳ କରିଥିଲେ । ଏହାକୁ ନେଇ ସିସୋଦିଆ କହିଛନ୍ତି ଯେ, ଆମ ତରଫରୁ ବିଜେପି ନେତାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସାରିଛୁ । ହେଲେ ସେମାନେ ସ୍ପଷ୍ଟ କରନ୍ତୁ ଯେ ଅବକାରୀ ନୀତିରୁ ମୁଁ (ସିସୋଦିଆ) କେତେ ଟଙ୍କା ଲାଞ୍ଚ ଖାଇଛି । କେବେ ବିଜେପି ନେତା କହୁଛନ୍ତି ୧୪୪ କୋଟିର ଦୁର୍ନୀତି ତ କେବେ ଲକ୍ଷେ କୋଟିର ପୁଣି କେବେ ୩୦ କୋଟିର । ସେମାନେ ପ୍ରଥମେ କେତେ ଟଙ୍କାର ଦୁର୍ନୀତି ହୋଇଛି ଅଭିଯୋଗ କଲେ ତାହାର ଉତ୍ତର ଦିଆଯିବ ବୋଲି ମନୀଷ ସ୍ପଷ୍ଟ କରିଛନ୍ତି ।

Related Posts