ଓଡ଼ିଶାରେ ଚୀନ ଭାରିଏଣ୍ଟ ଚିହ୍ନଟ: ଗହଳିକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୨/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କୋଭିଡର ଚୀନ ଭାରିଏଣ୍ଟ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭଗ ତତ୍ପର ହୋଇଉଠିଛି। ଏନେଇ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମସ୍ତେ ମାସ୍କ୍ ପିନ୍ଧନ୍ତୁ। ବିଶେଷ କରି ଗହଳି ସମୟରେ ମାସ୍କ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏହାସହ ଆସନ୍ତାକାଲି ଦିନ ୧୨.୩୦ରେ ସଚିବାଳୟରେ ଏନେଇ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।

ଏହି ବୈଠକରେ କୋଭିଡ ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ ତାହା ଉପରେ ବୈଠକ ହେବ। ସ୍ୱାସ୍ଥ୍ୟ ବିଭାଗ ସହ ଆରଏମଆରସି, ଆଇଏଲଏସ ଓ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତୃପକ୍ଷ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି

ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ସେପ୍ଟେମ୍ବର ୩୦ ରେ ଯେଉଁ ଭାରିଏଣ୍ଟ ଜଣକ ପାଖେ ଚିହ୍ନଟ ହୋଇଥିଲା। ଏହା ପରେ ଏହି ବିଏଫ୍.୭ ଭାରିଏଣ୍ଟର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଭୟଭୀତ ହେବାର ଆବଶ୍ୟକ ନାହିଁ। ଚୀନ ରେ ଏହ ବ୍ୟାପୁଛି, ତାହା ନୁହେଁ ଯେ ଭାରତରେ ସେହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ। ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ। ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ। ସଚେତନ ହୁଅନ୍ତୁ, ଅଯଥା ଗହଳି କରନ୍ତୁ ନାହିଁ। ଗହଳିକୁ ଗଲେ ମାସ୍କ ପିନ୍ଧନ୍ତୁ। ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ। ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ସରକାର କରୁଛନ୍ତି ତାହା ଜାରି ରହିବ। ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ ବୋଲି ସେ କହିଛନ୍ତି।

Related Posts