
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ଧରି ଲୋକ ଜନଶକ୍ତି ପାର୍ଟିରେ ଦଳର ଅଧ୍ୟକ୍ଷ ଚିରାଗ ପାସୱାନଙ୍କ ବିରୋଧରେ ବିଦ୍ରୋହ ସୃଷ୍ଟି ହୋଇଥିଲା। ପ୍ରଥମେ ସଂସଦୀୟ ଦଳ ନେତା ପଦରୁ ହଟିବା ପରେ ଏବେ ଦଳର ଅଧ୍ୟକ୍ଷ ପଦରୁ ତାଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜ ଭାନଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେ ଦଳର ନୂତନ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିବେ । ଏକ ବ୍ୟକ୍ତି ଏକ ପଦ ନିୟମ ମୁତାବକ ଚିରାଗଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ଡକାଯିବ ଏବଂ ନୂତନ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଚିରାଗ ପାଶୱାନଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ଦିଆଯାଇଥିଲା। ଚିରାଗଙ୍କ ଦାଦା ପଶୁପତି ପାରସ ଏଲଜେପିର ସଂସଦୀୟ ଦଳ ନେତା ଭାବେ ଚୟନ ହୋଇଥିଲେ । ଦଳର ୬ ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ସାସଂଦ ପଶୁପତି ପାରସଙ୍କୁ ସଂସଦୀୟ ଦଳର ନେତା ଭାବରେ ଚୟନ କରିବାକୁ ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲା ଏଲଜେପି ସାଂସଦଙ୍କ ଦାବିକୁ ଗ୍ରହଣ କରି ସୋମବାର ଦିନ ପଶୁପତି ପାରସଙ୍କୁ ଏହି ମାନ୍ୟତା ଦେଇଥିଲେ । ମିଳିଥିବା ସୂଚନା ମୁତାବକ ପଶୁପତି ପାରସ ଜୁନ୍ ୨୦ ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ସଭାପତି ଭାବେ ନିର୍ବାଚିତ ହୋଇପାରନ୍ତି। ପଶୁପତି ପରାସ ସ୍ୱର୍ଗତ ରାମ ବିଳାସ ପାସୱାନଙ୍କ ସାନ ଭାଇ। ଏଲଜେପି ସାଂସଦ ମେହବୁବ ଅଲି କାଇସର ସଂସଦୀୟ ଦଳର ଉପନେତା ହୋଇଛନ୍ତି। ସେହିପରି ଚନ୍ଦନ ସିଂଙ୍କୁ ଦଳର ମୁଖ୍ୟ ସଚେତକ କରାଯାଇଛି। ମୋଦୀ ସରକାରଙ୍କ ସମ୍ଭାବ୍ୟ କ୍ୟାବିନେଟ ବିସ୍ତାରରେ ପଶୁପତି ପରାସ କିମ୍ବା ଏଲଜେପିର ଅନ୍ୟ କୌଣସି ନେତାଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି।