ଚିଟଫଣ୍ଡ ଠକେଇ ମାମଲା : ଠକେଇ ଟଙ୍କାରେ ଆନ୍ଧ୍ରରେ ଟଲିଉଡ ଫିଲ୍ମ ନିର୍ମାଣ କରୁଥିଲେ ପୂର୍ବତନ ବିଧାୟକ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ସାମ୍ନାକୁ ଆସିଲା ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକଙ୍କ ତେଲୁଗୁ ଫିଲ୍ମ ଲିଙ୍କ । ଓଡ଼ିଶାର ଠକେଇ ପଇସାରେ ଆନ୍ଧ୍ରରେ ତେଲୁଗୁ ଫିଲ୍ମ ନିର୍ମାଣ ହେଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏହି ମାମଲାର ତଦନ୍ତ କରୁଥିବା ଅର୍ଥନୈତିକ ଅପରାଧ ଶାଖାର ଏସ୍‌ପି ଗାଗାରିନ ମହାନ୍ତି। 

ଗାଗାରିନ ଦେଇଥିବା ସୂଚନା ଅନୁସାରେ, ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦ ଜଣେ ନାମୀଦାମୀ ପ୍ରଯୋଜକ ଥିଲେ। ଲୋକଙ୍କଠାରୁ ଟଙ୍କା ଲୁଟିନେଇ ଏଥିରେ ଫିଲ୍ମ ନିର୍ମାଣ କରୁଥିଲେ । ବଡ଼ ବଡ଼ ବ୍ୟାନରରେ ଫିଲ୍ମ ତିଆରି କରୁଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କର ଟଲିଉଡ଼ ଲିଙ୍କ ନେଇ ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ ।

ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନାଁରେ ଏମ.ଭି ପ୍ରସାଦ ୧୨ ଶହ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ୨୦୦୧ରୁ ସେ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ଜମା ସଂଗ୍ରହ କରି ଟଙ୍କା ଫେରାଇ ନଥିଲେ  ଏମ.ଭି ପ୍ରସାଦ । ଠକେଇ ଅଭିଯୋଗରେ ଭାଇଜାଗରୁ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା। 

ଇଓଡବ୍ଲ୍ୟୁ  ତାସହ ପ୍ରସାଦଙ୍କ ଘରେ ଚଢ଼ଉ କରି ୪୫ ଲକ୍ଷ ଟଙ୍କା ସାଙ୍ଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ପରେ ଏମଭି ପ୍ରସାଦଙ୍କୁ ଗତକାଲି  ତାଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।  ଆସନ୍ତା ସୋମବାର ଦିନ ତାଙ୍କର ଜାମିନ ଆବେଦନର ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ, ୨୦୦୯ରେ ଏମ୍ ଭି ପ୍ରସାଦ କଂଗ୍ରେସରୁ ବିଧାୟକ ଥିଲେ। ପରେ ୨୦୧୯ରେ ସେ ୟାଇଏସ୍ଆର୍ କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ସେ ଆନ୍ଧ୍ରର ଶିକ୍ଷା ଏବଂ ୱେଲଫେର ଡେଭଲପମେଣ୍ଟ କର୍ପୋରେସନ୍‌ର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି । 

Related Posts