ସରକାରୀ ବାବୁଙ୍କୁ ଶହେ ସଲାମ୍

ସତ୍ୟପାଠ ବ୍ୟୁରୋ : ଲାଲଗଡ ବା ମାଓଇଲାକା । ଯେଉଁଠିକି ଯିବା ପାଇଁ ସମସ୍ତେ ଦିଅନ୍ତି ପଛଘୁଂଚା । ଯେଉଁଥିପାଇଁ ବିକାଶ ଠାରୁ ଢ଼େର ଦୂରରେ ମାଲକାନଗିରିର ଚିତ୍ରକୋଣ୍ଡା ବିଛିନାଞ୍ଚଳ । ହେଲେ ଏହି ଅଂଚଳର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ସରକାରୀ ବାବୁ । ଲାଲ ବାହିନୀର ନାଲିଆଖିକୁ ନଡରି ବିଛିନାଞ୍ଚଳରେ ପହଂଚିଛନ୍ତି ଚିତ୍ରକୋଣ୍ଡା ବିଡିଓ । ଆଉ ସାଂଗରେ ନେଇ ଯାଇଛନ୍ତି ବିକାଶର ପୁଟୁଳି ।

୨୦୧୧ ମସିହାରେ ତକ୍ରାଳୀନ ମାଲକାନଗିରି ଜିଲ୍ଲାପାଳ ଆର୍ ଭିନିଲକ୍ରିଷ୍ଣାଙ୍କୁ ମାଓବାଦୀ ଅପହରଣ କରିବା ପରେ ଏ ବିଚ୍ଛିନାଞ୍ଚଳକୁ ଆଉ କେହି ସରକାରୀ ବାବୁ ଆସୁ ନଥିଲେ । ହେଲେ ନଦୀ ନାଳ ଜଙ୍ଗଲ ଡେଇଁ ବିଛିନାଞ୍ଚଳର ଧୂଳିପୁଟ ପଂଚାୟତରେ ପହଂଚିଛନ୍ତି ଚିତ୍ରକୋଣ୍ଡା ବିଡିଓ ଲରେମୋହନ କଲସେର । ଅପହଂଚ ଇଲାକାରେ ସରକାରୀ ବାବୁଙ୍କୁ ଦେଖି ଲୋକେ ଯେତିକି ଖୁସି ଥିଲେ ଲୋକଙ୍କ ପାଖରେ ବିକାଶର ଅପହଂଚତାକୁ ଦେଖି ସେତିକି ବିବ୍ରତ ଓ ବିସ୍ମିତ ଥିଲେ ବିଡିଓ ।

ଲୋକଙ୍କ ସମସ୍ୟା ଶୁଣିଲେ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ବି ଦେଲେ । ବନ୍ଧୁକମୂନରେ ନୁହେଁ କଲମ ମୂନରେ ହିଁ ଅସଲି ବିକାଶ ବୋଲି ଲୋକଙ୍କ ମନରେ ଆଶା ସଂଚାର କରିଛନ୍ତି ବିଡିଓ ବାବୁ । ଯାହାକୁ ନେଇ ସରକାରୀ ବାବୁଙ୍କୁ ଖାଲି ପ୍ରଶଂସା ମିଳୁନି ବରଂ ସବୁ ବାବୁ ଏମିତି ହେଲେ ଲୋକଙ୍କ ସମସ୍ୟା ରୁହନ୍ତା ନାହିଁ ବୋଲି ବି ଲୋକେ କହିଛନ୍ତି ।

ସତ୍ୟପାଠକୁ ଫୋନଇନରେ ପ୍ରତିକ୍ରିୟା ଦେଇ ବିଡିଓ ଲରେମୋହନ କହିଛନ୍ତି, ଅପହଂଚ ଚିତ୍ରକୋଣ୍ଡାରେ ସରକାରୀ ସୁବିଧା ପହଂଚାଇବା ତାଙ୍କ ପ୍ରାଥମିକତା । ଗୁରୁପ୍ରିୟା ସେତୁ ପାଇଁ ବିଚ୍ଛିନାଞ୍ଚଳରେ ପହଂଚିବା କିଛି ମାତ୍ରାରେ ସମ୍ଭବ ହୋଇଥିବା ବେଳେ ଧୂଳିପୁଟକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଉଥିବା କହିଛନ୍ତି ବିଡିଓ । ଏପରିକି ବିଭିନ୍ନ ପଟୁ ସେହି ଅଂଚଳକୁ ଯିବା ପାଇଁ ସଡକପଥ ନିର୍ମାଣ କରାଯାଉଥିଲେ ବି କେବଳ ନଦୀ ବ୍ରିଜର ଆବଶ୍ୟକତା ରହିଛି । ତେଣୁ ସରକାରଙ୍କୁ ଚିଠି ଲେଖି ଏ ବାବଦରେ ଜଣାଇବେ ବୋଲି ସେ କହିଛନ୍ତି ।

Related Posts