ମେହେରଙ୍କ ମର୍ଦ୍ଦାଙ୍ଗି !

ଲାଗିଲା ଅପହରଣ ଏବଂ ଦଳିତ ଓ ଆଦିବାସୀ ଦଫା

ସତ୍ୟପାଠ ବ୍ୟୁରୋ : ନିର୍ବାଚନ ଜିତିବା ପରେ ଜୋସରେ କିଭଳି ହୋସ ଉଡେ ତାହାର ସଦ୍ୟ ଉଦାହରଣ ହେଉଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । କର୍ମୀ ଓ ଚେଲାଙ୍କ ସାମ୍ନାରେ ଜନବାଦୀ ହେବା ଚକ୍କରରେ ବାବୁ ପାଲଟିଗଲେ ଜାନାକାରୀ । ମେହେରଙ୍କର ଉଦ୍ଦେଶ୍ୟ ଠିକ ଥିଲା । ସରକାରୀ ଅର୍ଥ ବାଟମାରଣା ନହେଉ ଓ ପିସିଖିଆଙ୍କୁ ପାନେ ମିଳୁ । କିନ୍ତୁ ନୂଆ ନୂଆ ବିଧାୟକ ଭାଗମାପ ଟିକିଏ ଏପଟସେପଟ ହୋଇଗଲା । ଏବେ ବାବୁ ଓ ଚେଲାଙ୍କ ନାମରେ ଦଳିତ ଆଦିବାସୀ ନିରୋଧୀ ଆଇନ, ଅପହରଣ, ଡ୍ୟୁଟିରେ ସରକାରୀ ବାବୁଙ୍କୁ ଆକ୍ରମଣ, ସର୍ବସାଧାରଣରେ ଅଭଦ୍ରାମୀ ଭଳି ସାତଟି ସଂଗୀନ ଦଫା ଲାଗିଲାଣି । ତା ଭିତରୁ ଯେଉଁ ଦୁଇଟି ବଡ ସଂଗୀନ ଦଫା ଲାଗିଛି, ତାକୁ ଦେଖିଲେ ଲାଗୁଛି ଆଗାମୀ ପାଂଚବର୍ଷ ଯାଏ ବାବୁ ଲୁଗା ଧୋଉଥିବେ ଗୁଣ ଗାଉଥିବେ ।

ମେହେର ବାବୁଙ୍କ ନାଁରେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପ୍ରବୀଣା ରାଜହଂସ ପୁଲିସ ନିକଟରେ ଯେଉଁ ଏତଲା ଦେଇଛନ୍ତି ତାହା ଅତ୍ୟନ୍ତ ସଂଗୀନ ଓ ସ୍ପର୍ଷକାତର । ପ୍ରବୀଣ ଅଭିଯୋଗ କରିଛନ୍ତି ୫ ତାରିଖ ଅପରାହ୍ନରେ ସ୍ୱାମୀ ଜୟକାନ୍ତ ଶବରଙ୍କୁ ଘରୁ ଜବରଦସ୍ତ ଡାକିନେଇଥିଲେ ବିଧାୟକ ଓ ତାଙ୍କ ସହଯୋଗୀ । ପରେ ତାଙ୍କୁ ମାଡ ମରାଯାଇଥିବା ଓ ବସଉଠ କରାଯାଇଥିବା ଖବର ସେ ଜାଣିବାକୁ ପାଇଲେ । ଏପରିକି ତାଙ୍କ ସ୍ୱାମୀଙ୍କୁୁ ଅପହରଣ କରାଯାଇଥିବା ବି ସେ ଅଭିଯୋଗରେ ଲେଖିଥିଲେ । ୟା ଭିତରେ ଜୟକାନ୍ତଙ୍କୁ ନୂଆପଡାରୁ ପୁଲିସ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି । କିନ୍ତୁ ବିଧାୟକଙ୍କ ବିରୋଧରେ ୭ଟି ସଂଗୀନ ଦଫା ଲଗାଇ ଆଇନର ଲମ୍ବା ହାତକୁ ତାଙ୍କୁ ଗିରଫ କରିବା ପାଇଁ ବଢ଼ାଇ ଦେଇଛି ।

ପାଟଣାଗଡ ଥାନାରେ କେସ୍ ନମ୍ବର ୧୧୩/୧୯ରେ ବିଧାୟକ ସରୋଜ ମେହେରଙ୍କ ନାମରେ ରୁଜୁ ହୋଇଛି ମାମଲା । ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦ ଭଳି ସଂଗୀନ ଦଫା ସହ ଦଳିତ ଓ ଆଦିବାସୀ ନିରୋଧୀ ଆଇନ (Scheduled Castes and Tribes (Prevention of Atrocities) Act, 1989 ) ଲାଗିଛି ଏହି ମାମଲାରେ । ସରକାରୀ ଅଧିକାରୀଙ୍କୁ ଆକ୍ରମଣ, ଗାଳିଗୁଲଜ, ସର୍ବସାଧାରଣରେ ଅପମାନିତ କରିବା, ଅପହରଣ ଓ ଜାତିଆଣ ଆକ୍ଷେପ କରିବା ପାଇଁ ଦଫା ଲାଗିଛି ବିଧାୟକଙ୍କ ନାଁରେ ।

ସେପଟେ ଯନ୍ତ୍ରୀଙ୍କ ସପକ୍ଷରେ ବାହାରିଛି ଓଡିଶା ଡିପ୍ଲୋମା ଇଂଜିନିୟରିଂ ସଂଘ । ଏହି କାର୍ଯ୍ୟ ଗର୍ହିତ ଓ ଆଇନ ବିରୁଦ୍ଧ ବୋଲି ସଂଘ ପକ୍ଷରୁ ଏକ ପ୍ରେସବାର୍ତ୍ତାରେ କୁହାଯାଇଛି । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ସଂଘ । ଅନ୍ୟପଟେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ଉପଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାପଡିଛି ।

ନିଜକୁ ଦବଙ୍ଗୀ ବିଧାୟକ ବୋଲି ଦେଖାଇବାକୁ ଯାଇ ଯେମିତି ଫସି ଯାଇଛନ୍ତି ସରୋଜ ମେହେର । ଏବେ କଥା ଉଠୁଛି, ପାୱାର ଓ ପୋଜିସନ ଆଗରେ ନଇଁ ଯିବନି ତ ପୁଲିସ । ବିଧାୟକଙ୍କୁ ଏ ସଂଗୀନ ମାମଲାରେ ଗିରଫ କରିବ ତ ଆଇନର ଲମ୍ବା ହାତ ।

Related Posts