ଉତ୍ତର-ପୂର୍ବରେ CAB ତାତି: ଜଳୁଛି ଆସାମ, ତ୍ରିପୁରା ଓ ଗୁଆହାଟୀ

(ସତ୍ୟପାଠ ବ୍ୟୁରୋ) ଉତ୍ତର-ପୂର୍ବ ଭାରତରେ CAB ତାତି ।  ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ହେବା ପରେ ଆସାମ, ତ୍ରିପୁରା ଏବଂ ଗୁଆହାଟୀ ସହରରେ ନିଆଁ ଜଳିଛି । ଲୋକମାନେ ଏହି ବିଲ୍ ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଲୋକଙ୍କ ଆନ୍ଦୋଳନ ଏବେ ହିଂସାରେ ପରିଣତ ହୋଇଛି । ସ୍ଥିତି ଅଣାୟତ ହେବାରୁ ସେନା ମୁତୟନ କରାଯିବା ସହିତ ଗୁଆହାଟୀରେ କର୍ଫ୍ୟୁ ଜାରି କରାଯାଇଛି । ଗୁଆହାଟୀର ବିଭିନ୍ନ ସ୍ଥାନରେ ଲୋକମାନେ କର୍ଫ୍ୟୁକୁ ଅମାନ୍ୟ କରିବାରୁ ପୋଲିସ ଫାଙ୍କା ଗୁଳି ଚଳାଇବା ସହ ଲାଠି ଚାର୍ଜ କରିଥିବା ଜଣାପଡ଼ିଛି । ସ୍ଥିତି ଅଣାୟତ ହେବାରୁ ଗୁଆହାଟୀ ସହରରେ ଯବାନଙ୍କ ପକ୍ଷରୁ ଫ୍ଲାଗ୍ ମାର୍ଚ କରାଯାଉଛି ।

ଗୁଆହାଟୀରେ ପ୍ରବଳ ଉତ୍ତେଜନା ଯୋଗୁଁ ଗତ କାଲି ସଂଧ୍ୟା ୬ଟା ୧୫ରୁ ଜାରି ହୋଇଥିବା କର୍ଫ୍ୟୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବଳବତର ରହିବ ବୋଲି ସୂଚନା ମିଳିଛି । ଆସାମର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ । ଆସାମର ୧୦ଟି ଜିଲ୍ଲା ଓ ତ୍ରିପୁରାରେ ମୋବାଇଲ ଓ ଇଂଟରନେଟ୍ ସେବା ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଅଧିକ ୫ ହଜାର ଅର୍ଦ୍ଧସାମରିକ ବାହିନୀ ମୁୟତନ କରାଯାଇଛି ।

ନାଗରିକ ସଂଶୋଧନ ବିଲ୍‌କୁ ବିରୋଧ କରିବାକୁ ଅଲ୍‌ ଆସାମ୍‌ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ ଏବଂ କୃଷକ ମୁକ୍ତି ସଂଗ୍ରାମ ସମିତି ପକ୍ଷରୁ ଲୋକମାନଙ୍କୁ ନିବେଦନ କରାଯାଇଛି । ଆସାମର ଅନେକ ସହରରେ ଗାଡ଼ିମଟର ଅଟକି ରହିଛି, ଯାତାୟାତ ଠପ୍‌ ହୋଇଯାଇଛି ।

ସେପଟେ ନାଗରିକତା ସଂଶୋଧନ ବିଲ୍‌ ବିରୋଧରେ ଇଣ୍ଡିଆନ ୟୁନିଅନ ମୁସ୍‌ଲିମ୍‌ ଲିଗ୍ ସୁପ୍ରିମ କୋର୍ଟରେ  ମାମଲା ଦାଏର କରିବ ବୋଲି ଜଣାପଡ଼ିଛି ।   

CABକୁ ବିରୋଧ କାହିଁକି ?

ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସି ଭାରତରେ ରହିଥିବା ଅଣମୁସଲିମ ପ୍ରବାସୀଙ୍କୁ ଭାରତୀୟ ନାଗରିକତା ଦେବାକୁ ବିଲ୍‌ରେ ବ୍ୟବସ୍ଥା ରହିଥିବା ବେଳେ ମୁସଲିମଙ୍କୁ ଏଥିରୁ ବାଦ୍ ଦିଆଯାଇଥିବାରୁ ବିଲ୍‌କୁ ବିରୋଧ କରାଯାଉଛି । ଆସାମ, ତ୍ରିପୁରା ଭଳି ଉତ୍ତର-ପୂର୍ବ ରାଜ୍ୟରେ ବିଲ୍‌ ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଆସାମରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ବେଳେ ସୃଷ୍ଟି ହୋଇଛି ଆଇନ ଶୃଙ୍ଖଳା ପରିସ୍ଥିତି ।

Related Posts