ନବୀନଙ୍କ ପୋଲ ଖୋଲିଲେ ତାରାଦତ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିରୋଧରେ ତାରା ଦତ୍ତଙ୍କ ମିଠା ପ୍ରତିଶୋଧ । ତାଙ୍କ ବିରୋଧରେ ବୋର୍ଡ ଅଫ ରେଭିନ୍ୟୁରେ ସରକାର କରିଥିବା ମାମଲାର ପ୍ରତିଶୋଧ ନେଇଛନ୍ତି ତାରା ଦତ୍ତ । ନିଜ ଦ୍ବାରା ଲିଖିତ ପୁସ୍ତକ ‘ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍’ରେ ଗୋଟି ଗୋଟି କରି ରାଜ୍ୟ ସରକାରଙ୍କ ପୋଲ୍ ଖୋଲିଛନ୍ତି ତାରାଦତ୍ତ । ସରକାରଙ୍କ ଭିତିରି କଥାକୁ ପଦାକୁ ଆଣିଥିବା ତାରା ଦତ୍ତଙ୍କ ଏହି ବହିକୁ ନେଇ ତୃତୀୟ ମହଲାରେ କମ୍ପନ ।

ବିଡିଏ, ସିଡିଏ, ଜିଏ ଓ ହାଉସିଂ ବୋର୍ଡ ଜମି ଆବଣ୍ଟନ ଦୁର୍ନୀତିର ସିବିଆଇ ତଦନ୍ତ ଭୟରେ ତରବରିଆ ଟାକ୍ସଫୋର୍ସ ଗଠନ କରିଥିଲେ ସରକାର । ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ PIL ହୋଇଥିଲା । ହାଇକୋର୍ଟ କାଳେ ସବିଆଇ ତଦନ୍ତ ନିର୍ଦ୍ଦେଶ ଦେବେ ତା’ ପୂର୍ବରୁ ସରକାର ଛାନିଆ ହୋଇ ଟାକ୍ସଫୋର୍ସ ଗଠନ କରିଥିବା ନିଜ ପୁସ୍ତକରେ ଲେଖିଛନ୍ତି ଟାସ୍କଫୋର୍ସର ସେତେବେଳେ ଅଧ୍ୟକ୍ଷ ଥିବା ତାରା ଦତ୍ତ । ନିର୍ଦ୍ଧାରିତ ସମୟ ପୂର୍ବରୁ ଟାସ୍କଫୋର୍ସ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଅନ୍ତରୀଣ ରିପୋର୍ଟ ଭାବେ ଦାଖଲ କରିବାକୁ ତାଙ୍କୁ କିଭଳି ବାଧ୍ୟ କରାଯାଇଥିଲା ତାହାର ଖୁଲାସା କରିଛନ୍ତି ତାରା ଦତ୍ତ। ଚୂଡ଼ାନ୍ତ ରିପୋର୍ଟକୁ ସରକାର ଅନ୍ତରୀଣ ରିପୋର୍ଟ ଭାବେ ଦାଖଲ କରିବାକୁ କହିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ବହିରେ ଲେଖିଛନ୍ତି ତାରା ।

ସାଂଘାତିକ କଥା ହେଲା ଯେ, ଫାଇନାଲ ରିପୋର୍ଟକୁ ବିଳମ୍ବ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ତାରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯଦିଓ ଚୂଡ଼ାନ୍ତ ରିପୋର୍ଟକୁ ସଂପୂର୍ଣ୍ଣ ନୁହେଁ ବୋଲି କିଛି ନିର୍ଦ୍ଧିଷ୍ଟ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିବା କଥା ତାରା ତାଙ୍କ ବହିରେ ଲେଖିଛନ୍ତି । ଟାସ୍କ ଫୋର୍ସ ରିପୋର୍ଟରେ ବିଡିଏ ଓ ସିଡିଏ ସମ୍ପର୍କରେ ଉଲ୍ଲେଖ ଥିବା ତଥ୍ୟ ସିଏଜି ଅଡିଟ ରିପୋର୍ଟ ସହ ମେଳ ଖାଉନଥିବା ବାହାନା ଦେଖାଯାଇଥିଲା । ତେଣୁ ଏହାକୁ ଫାଇନାଲ ରିପୋର୍ଟ ଭାବେ ଗ୍ରହଣ କରାଯିବ ନାହିଁ ଏବଂ ଏହା ଉପରରେ ଅଧିକ ତର୍ଯମା କରିବାର ଆବଶ୍ୟକ ଥିବା କହି ଫାଇନାଲ ରିପୋର୍ଟକୁ ବିଳମ୍ବ କରିବାକୁ କୁହାଯାଇଥିଲା ।  ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସମୟରେ ବର୍ତ୍ତମାନର ଜଣେ ବିଜେଡି ରାଜ୍ୟସଭା ସାଂସଦ ସେତେବଳେ ଏଜି ଥିଲେ ।

କିଭଳି ଭାବେ ବହୁ ପ୍ରତିପତ୍ତିଶାଳୀ, ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଇଚ୍ଛାଧୀନ କୋଟାରେ ଏକାଧିକ ଗୃହ ନେଇଥିଲେ ତାହା ଟାସ୍କଫୋର୍ସ ରିପୋର୍ଟରେ ଦର୍ଶାଇଥିଲେ ତାରାଦତ୍ତ । ଏଥିରେ ସାଂସଦ, ବିଧାୟକ, ମନ୍ତ୍ରୀ, ଆଇଏସ୍, ଆଇପିଏସ୍, ଓଏଏସ୍, ପ୍ରତିଷ୍ଠିତ ଡାକ୍ତର, ସାମ୍ବାଦିକ, ଆଇନଜୀବୀ ଏମିତିକି କିଛି ପୂର୍ବତନ ବିଚାରପତିଙ୍କ ନା ବି ଥିଲା । ଏହି ରିପୋର୍ଟ ପାଇଁ ଅନେକ ବନ୍ଧୁ ଓ ସହଯୋଗୀ ତାଙ୍କଠାରୁ ଦୂରେଇ ଯାଇଥିବା ତାରା ନିଜ ବହିରେ ଲେଖିଛନ୍ତି । ୧୯୯୫ ପରଠୁ ୨୦୧୪ ପର୍ଯ୍ୟନ୍ତ ଟାସ୍କଫୋର୍ସ ତଦନ୍ତ ପାଇଁ  ନିର୍ଦ୍ଦେଶ ଥିଲା । କିନ୍ତୁ ୧୯୯୫ ମସିହା ପୂର୍ବରୁ ଏହାର ତଦନ୍ତ ହୋଇନଥିବାରୁ ଦୁର୍ନୀତିରେ ସଂପୃକ୍ତ ବହୁ ବରିଷ୍ଠ ଅଧିକାରୀ ଖସି ଯାଇଥିବା ପୁସ୍ତକରେ ଉଲ୍ଲେଖ କରାଯାଇଛି । ସରକାରୀ ବ୍ୟବସ୍ଥାରେ କିଭଳି କାମ ଚାଲିଛି ତାରା ଦତ୍ତଙ୍କ ପୁସ୍ତକ ତା’ର ପୋଲ୍ ଖୋଲି ଦେଇଛି । କେବଳ ଟାସ୍କଫୋର୍ସ ନୁହେଁ  ନିଜ କାର୍ଯ୍ୟକାଳ ମଧ୍ୟରେ ଭିନ୍ନ ଭିନ୍ନ ଦାୟିତ୍ୱରେ ରହିଥିବା ବେଳେ ସରକାରଙ୍କ ଦ୍ୱାରା ହୋଇଥିବା ଦୁର୍ନୀତି ସମ୍ପର୍କରେ ସେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ତାରା ଦତ୍ତ ।

କେମିତି ଚାଲିଛି ଓଡ଼ିଶା ସରକାର ?

ସରକାରୀ କଳ ଭିତରେ କ’ଣ ସବୁ ଚାଲିଛି ?

5-ଟିର ଡିଣ୍ଡିମ ପିଟୁଥିବା ନବୀନ ସରକାର କେତେ ସ୍ୱଚ୍ଛ ? 

ବାହାରକୁ ନିର୍ମଳ ଦେଖାଯାଉଥିବା ପ୍ରଶାସନିକ ବ୍ୟବସ୍ଥାରେ ଚରିଗଲାଣି ଦୁର୍ନୀତିର ଉଇ  

ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ଦୁର୍ନୀତିରେ ଟାକ୍ସଫୋର୍ସ ରିପୋର୍ଟକୁ ସରକାର ଅଟଦେଖା କଲେ କାହିଁକି ?

ତାରା ଦତ୍ତଙ୍କ ଚୂଡ଼ାନ୍ତ ରିପୋର୍ଟକୁ ଚାପି ଦେବାକୁ ବାଧ୍ୟ କରାଯାଇଥିଲା କାହିଁକି ?

 ଦାରାଦତ୍ତଙ୍କ ରିପୋର୍ଟ ସହ CAG ରିପୋର୍ଟ ମେଳ ଖାଉନଥିବା ନେଇ ନବୀନଙ୍କୁ କହିଥିବା ଅଧିକାରୀ କିଏ ?

ତାରାଙ୍କ ବହିର ସତ୍ୟତାରେ ବଳି ପଡ଼ି ଯିବେକି ସମ୍ପୃକ୍ତ ଅଧିକାରୀ ?

ଏହି ବହି ଏବେ ସରକାରୀ କଳର ଅସଲ ଚେହେରାକୁ ପଦାରେ ପକାଇଛି । କିଭଳି କ୍ଷମତା ପାଇଁ ନବୀନ ବାବୁ ସବୁ କିଛି କରିପାରନ୍ତି ତାହା ପ୍ରମାଣିତ କରିଛି ତାରା ଦତ୍ତଙ୍କ ବହି । ଦୁର୍ନୀତି ବରୋଧରେ ଜିରେ ଟଲରାନ୍ସ କଥା କହୁଥିବା ମାନ୍ୟବର ନିଜେ ଦୁର୍ନୀତିକୁ ଚାପିବାକୁ କିଭଳି ଷଡ଼ଯନ୍ତ୍ର କରିପାରନ୍ତି ତାହାର ସନ୍‌ସନି ଖୁଲାସା କରିଛନ୍ତି ତାରା ଦତ୍ତ ।

Related Posts