ହାଇଦ୍ରାବାଦ ଏନକାଉଣ୍ଟର: ସୁପ୍ରିମ କୋର୍ଟଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ହାଇଦ୍ରାବାଦରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ବାଃ ବାଃ ନେଇଥିବା ଶାମସାବାଦ ପୋଲିସ ପାଇଁ ବଢ଼ିପାରେ ଅଡ଼ୁଆ । ଡାକ୍ତର ଦିଶାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ । ଏନକାଉଣ୍ଟର ଘଟଣାରେ ତେଲେଙ୍ଗାନା ସରକାରର SIT ତଦନ୍ତ  ଉପରେ ଭରସା କରି ନାହାନ୍ତି ସୁପ୍ରିମ କୋର୍ଟ । ତେଣୁ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭିଏସ ଶୀରପୁରକରଙ୍କ ନେତୃତ୍ୱରେ ତିନି ଜଣିଆ କମିଟି ଗଠନ କରିଛନ୍ତି କୋର୍ଟ । ଛଅ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ଏହି ତଦନ୍ତ ବେଳେ ଅନ୍ୟ କୌଣସି ତଦନ୍ତ ହୋଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ଏସ.ଏସ. ବୋବଡେ କହିଛନ୍ତି ।

ଅଭିଯୁକ୍ତଙ୍କ ଉପରକୁ ପୋଲିସର ଏନକାଉଣ୍ଟରକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ଏନକାଉଣ୍ଚର କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ ହେବା ଦରକାର ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ କହିଥିଲେ । ଏହାକୁ ନେଇ ଆଜି ତେଲେଙ୍ଗାନା ସରକାର କୋର୍ଟରେ ପକ୍ଷ ରଖିଥିଲେ । ଆଇନଜୀବୀ ମୁକୁଲ ରୋହତଗୀ ତେଲେଙ୍ଗାନା ସରକାରର ପକ୍ଷ ରଖି କହିଥିଲେ, ରାଜ୍ୟ ସରକାର ଏସଆଇଟି ତଦନ୍ତ କରୁଛନ୍ତି । ଏଭଳି ସ୍ଥିତିରେ କୋର୍ଟଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇ ଏକା ସାଙ୍ଗରେ ଦୁଇଟି ତଦନ୍ତ କରିବାର ଆବଶ୍ୟକତା ନାହିଁ ।ଜବାବରେ ସୁପ୍ରିମକୋର୍ଟ କହିଥିଲେ, ଏସଆଇଟି ତଦନ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ହୋଇଛି । ଏହା କେବେ ସରିବ ଜଣା ନାହିଁ । ଏନକାଉଣ୍ଚର ମାମଲାରେ ସମସ୍ତ ନାଗରିକ ସତ ଜାଣିବା ଦରକାର । ତେଣୁ ତଦନ୍ତ ବେଳେ ସନ୍ଦେହ ପ୍ରକାଶ ହେଲେ କୋର୍ଟ ନିଜ ଆଡୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ । ଯଦି ଏନକାଉଣ୍ଟରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ସରକାର ଅପରାଧିକ ମାମଲା ରୁଜୁ କରି ତଦନ୍ତ କରିବେ ତାହେଲେ କୋର୍ଟ କୌଣସି ଆଦେଶ ଜାରି କରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଅନୁସାରେ ଡିସେମ୍ବର 6ରେ ହାଇଦ୍ରାବାଦର ଶାଦନଗରରେ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ 4 ଅଭିଯୁକ୍ତଙ୍କୁ ପୋଲିସ ରିକ୍ରିଏସନ ପାଇଁ ଭୋର ୩ଟାରେ ଡିସେମ୍ବର ୬ ତାରିଖ ଶୁକ୍ରବାର ଦିନ ଆଣିଥିଲା । ଏହି ସମୟରେ ୪ ଅଭିଯୁକ୍ତ ପୁଲିସ ପାଖରୁ ବନ୍ଧୁକ ଛଡ଼ାଇ ନେବାରୁ ପୁଲିସ ଏନକାଉଣ୍ଟର କରିଥିଲା ବୋଲି ସ୍ପଷ୍ଟୀକରଣ ରଖିଥିଲା ଶାମସାବାଦ ପୋଲିସ ।

Related Posts