(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଥିବା କଥା ସାମ୍ନାକୁ ଆସିଛି । ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସିଜେଆଇ ଜଷ୍ଟିସ ଏନ୍. ଭି. ରମନ୍ନା। ଏଭଳି ଖବର ପ୍ରକାଶ କରିବାରେ ଗଣମାଧ୍ୟମକୁ ସେ ଦାୟୀ ବୋଲି ସେ କହିଛନ୍ତି। ତେବେ ୨୦୨୭ ସୁଦ୍ଧା ଜଣେ ବିଚାରପତି ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ରିପୋର୍ଟରେ ଆକଳନ କରାଯାଇଥିଲା। ବିଚାରପତି ନିଯୁକ୍ତି ପ୍ରକ୍ରିୟା ଏକ ସ୍ୱତନ୍ତ୍ର ବ୍ୟବସ୍ଥାରେ ହେଉଥିବା ବେଳେ ଏଭଳି ଆକଳନ କରି ରିପୋର୍ଟ ଲେଖିବାରୁ ମିଡିଆ ନିବୃତ୍ତ ରହିବା ଦରକାର ବୋଲି ପ୍ରଧାନ ବିଚାରପତି କହିଛନ୍ତି ।
ଯଦି ମିଡିଆରେ ବିଚାରପତି ନିଯୁକ୍ତ ପ୍ରକ୍ରିୟାକୁ ନେଇ ଏଭଳି ଆକଳନ ରିପୋର୍ଟ ପ୍ରକାଶ ପାଇବ ତାହେଲେ ଅନେକ ଯୋଗ୍ୟ ବ୍ୟକ୍ତି ଥିବେ ସେମାନଙ୍କ ପ୍ରତିଭାକୁ ଏପରି ରିପୋର୍ଟ ପ୍ରଭାବ ପକାଇବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଅପରିପକ୍ଷେ ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ. ଭି. ରମନ୍ନାଙ୍କ ନେତୃତ୍ୱାଧୀନ ଏହି କଲେଜିୟମ ମୋଟ୍ ୯ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଯେଉଁଥିରେ ତିନି ଜଣ ମହିଳା ରହିଛନ୍ତି।
ତେଣୁ ଏହି ତିନି ଜଣଙ୍କ ମଧ୍ୟରେ କେହି ଜଣେ ୨୦୨୭ ସୁଦ୍ଧା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାପୂର୍ବରୁ ଆଜି ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଜଷ୍ଟିସ ରାମନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଶୀର୍ଷ ଅଦାଲତରେ ପଦୋନ୍ନତି ପାଇଁ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ଏଥିମଧ୍ୟରେ ଜଷ୍ଟିସ୍ ବିଭି ନାଗରଥନା ଅଛନ୍ତି, ଯିଏ ୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି।