ମେଘାଳୟରେ ଏନସିପି ଓ ଟିଏମସିକୁ ଝଟକା: ବିଜେପିରେ ସାମିଲ ହେଲେ ୪ ବିଧାୟକ

ଭୁବନେଶ୍ଵର,୧୪/୧୨ (ସତ୍ୟପାଠ ବ୍ୟୁରୋ): ମେଘାଳୟରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଓ ଏନପିପିକୁ ବଡ଼ ଝଟ୍‌କା ଲାଗିଛି। ଦୁଇ ଦଳର ମୋଟ୍‌ ତିନି ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଜଣେ ନିର୍ଦଳୀୟ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏହି ଚାରିଜଣ ବିଧାୟକଙ୍କୁ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭାରତୀୟ ଜନତା ପାର୍ଟିର ସଦସ୍ୟତା ପ୍ରଦାନ କରିଛନ୍ତି।

ବିଜେପିରେ ଯୋଗ ଦେଇଥିବା ବିଧାୟକମାନେ ହେଉଛନ୍ତି, ଏନପିପିର ବେନେଡିକ୍ଟ ମାରକ, ଫେରଲିନ୍ ସଙ୍ଗମା ଓ ଟିଏମସିର ବିଧାୟକ ହିମାଳୟ ମୁକ୍ତନ ଶାଙ୍ଗପ୍ଲିଆଙ୍ଗ ଅଛନ୍ତି। ସେହିପରି ନିର୍ଦଳୀୟ ବିଧାୟକ ସାମୁଏଲ ସଙ୍ଗମା ମଧ୍ୟ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏନପିପି ଓ ଟିଏମସିର ଏହି ତିନି ବିଧାୟକ ଗତ ନଭେମ୍ବର ୨୮ ତାରିଖରେ ବିଧାନସଭା ବାଚସ୍ପତି ମେଟବାହ ଲିଙ୍ଗଦୋହଙ୍କୁ ରାଜ୍ୟ ସଚିବାଳୟରେ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ମେଘାଳୟରେ ମେଘାଳୟ ଡେମୋକ୍ରାଟିକ ଆଲାଇନ୍ସ (ଏମ୍‌ଡିଏ)ର ସରକାର ଅଛି। ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ ଏମ୍‌ଡିଏ ମେଣ୍ଟରେ ଏନପିପିରୁ ୨୩ ଜଣଙ୍କ ସମେତ ମୋଟ ୪୮ ଜଣ ବିଧାୟକ ଅଛନ୍ତି।

Related Posts