ଭୁବନେଶ୍ୱର,୧୪/୧୨(ସତ୍ୟପାଠ ବ୍ୟୁରୋ): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ଆନନ୍ଦଙ୍କ ବାନ୍ଧବୀ ମନ୍‌ଜିତ୍ ଟେଟେ। ଆନନ୍ଦଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ମନ୍‌ଜିତ୍ ତାଙ୍କ ବାପାଙ୍କ ସହ ଇନ୍‌ଫୋସିଟି ଥାନାରେ ହାଜର ହୋଇଛନ୍ତି। ଥାନାରେ ମନ୍‌ଜିତତଙ୍କୁ ଜେରା କରିଛି ପୁଲିସ। ୧୬୧ ଧାରାରେ ମନିଜିତଙ୍କର ବୟାନ ରେକର୍ଡ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ୨୫ରୁ ଅଧିକ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ପୁଲିସ୍। ଏପରିକି ଆବଶ୍ୟକ ପଡ଼ିଲେ ବିରେନ୍ଦ୍ରଙ୍କୁ ପୁଣିଥରେ ଜେରା ପାଇଁ ପୁଲିସ୍ ଡାକିବ ବୋଲି ସୂଚନା ମିଳିଛି।

ଆଡିସନାଲ୍ ଡିସିପି ପ୍ରକାଶ ଚନ୍ଦ୍ର ପାଲଙ୍କ ସୂଚନା ଅନୁଯାୟୀ, ଆନନ୍ଦଙ୍କ ମୃତ୍ୟୁ ବେଳେ ମନ୍‌ଜିତ ତାଙ୍କ ରୁମ୍‌ରେ ଉପସ୍ଥିତ ଥିଲେ। ଆନନ୍ଦଙ୍କ ସହ ଯେଉଁମାନେ ସମ୍ପର୍କରେ ଥିଲେ ସମସ୍ତଙ୍କୁ ଡାକି ପଚରାଉଚରା କରାଯିବ। ମୃତ୍ୟୁ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ପରିବାର ପକ୍ଷରୁ ଅଭିଯୋଗ ପରେ ହତ୍ୟା ମାମଲା ସନ୍ଦେହରେ ତଦନ୍ତ ଜାରି ରହିଛି। ପ୍ରାୟ ଦେଢ଼ ବର୍ଷ ହେଲା ଆନନ୍ଦଙ୍କ ସହ ଲିଭ୍ଇନ୍‌ ଥିଲେ ମନ୍‌ଜିତ। ତେଣୁ ଆନନ୍ଦଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ମନ୍‌ଜିତଙ୍କୁ ଜେରା କରିଛି ପୁଲିସ।

ସେପଟେ ଜେରା ପରେ ପୁଲିସ ଯାହା ପଚାରିଛି ସବୁର ଉତ୍ତର ସେ ରଖିଛନ୍ତି ବୋଲି ମନ୍‌ଜିତ୍ ପ୍ରତିକ୍ରିୟା ଦେଇ କହିଛନ୍ତି।