ଜମି ଜମା ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ : ୨ ମୃତ ,୭ ଆହାତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଜମି ଜମା ବିବାଦକୁ କେନ୍ଦ୍ର କରି  ୨ ମୃତ୍ୟୁ ,୭ ଗୁରୁତର ଆହାତ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତର ହାତୀମୁଣ୍ଡା ଗାଁରେ।  ଜମିଜମା ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୭ଜଣ ଗୁରୁତରଭାବେ ଆହତ ହୋଇଥିବା ସୂଚନା ମିଳିଛି। ମୃତକ ବ୍ୟକ୍ତି ହେଉଛନ୍ତି ଧନପତି ଜାନି(୪୫) ଓ ସହଦେଵ ଜାନି (୪୦)। ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଜମିଜମା ଓ ଗୁଣିଗାରେଡ଼ିକୁ ନେଇ ସେମାନଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। 

    ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେନାପତି ଜାନି ଓ ଧନେଶ୍ବର ଜାନିଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ଜିଲ୍ଲା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଗୋଷ୍ଠୀ ସଙ୍ଘର୍ଷରେ ଆହତ ହୋଇଥିବା ଅନ୍ୟ ମାନେ ହେଉଛନ୍ତି ଦିବା ପରଜା, ରାଜୁ ଜାନି, ଅଙ୍ଗରା ଜାନି, ମବହୋର ଜାନି ଓ ଛେଣ୍ଡିଆ ଜାନି । 

କୋରାପୁଟ ଏସଡିପିଓ ନିରଞନ ବେହେରା ଘଟଣା ସ୍ଥଳରେ ପହଞ୍ଚିବା ସହ ଦଶମନ୍ତପୁର ପୁଲିସ ମଧ୍ୟ ଗାଁରେ ତଦନ୍ତ କରୁଛି। ଏପଟେ ପୁଲିସ ଭୟରେ ଗାଁ ଜନଶୁନ୍ୟ ହୋଇଯାଇଛି। ତେବେ କେଉଁ କାରଣରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଗଲା ପୁଲିସ ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି କୁହାଯାଉଛି।

Related Posts