ହିନ୍ଦୁ ପୁଅ ହିନ୍ଦୁ ଝିଅକୁ ମିଛ କହିଲେ, ଏହାକୁ ମଧ୍ୟ ଜିହାଦ କୁହାଯିବ, ଖୁବ୍ ଶୀଘ୍ର ଆସିବ ଆଇନ : ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଯଦି ଜଣେ ହିନ୍ଦୁ ପୁଅ ଜଣେ ହିନ୍ଦୁ ଝିଅକୁ ମିଛ କହୁଛି, ତେବେ ଏହାକୁ ମଧ୍ୟ ଜିହାଦ କୁହାଯିବ । ଲଭ୍ ଜିହାଦ୍ କୁ ନେଇ ବିବାଦ ଲାଗି ରହିଥିବା ବେଳେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏଭଳି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହିନ୍ଦୁତ୍ୱ ହେଉଛି ୫୦୦୦ ବର୍ଷ ପୁରୁଣା ଏବଂ ଏହା ଜୀବନ ବଂଚିବାର ଶୈଳୀ ଶିଖାଇଥାଏ । ଅଧିକାଂଶ ଧର୍ମର ଅନୁଗାମୀମାନେ ହିନ୍ଦୁମାନଙ୍କର ବଂଶଧର । ହିନ୍ଦୁତ୍ୱକୁ କଦାପି ହଟାଇ ଯାଇପାରିବ ନାହିଁ। ହିନ୍ଦୁତ୍ୱକୁ ହଟାଇଲେ ନିଜର ମୂଳ ଏବଂ ମାତୃଭୂମିଠାରୁ ଦୂରେଇ ଯିବା ଭଳି ହେବ ବୋଲି ବିଶ୍ବଶର୍ମା କହିଛନ୍ତି ।

         ଖୁବ୍ ଶୀଘ୍ର ଆସାମ ସରକାର ଏହା ବିରୋଧରେ ଆଇନ ଆଣିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ଲଭ ଜିହାଦ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହି ଶବ୍ଦ(ଲଭ ଜିହାଦ) ଉପରେ ତାଙ୍କର ଆପତ୍ତି ରହିଛି। କିନ୍ତୁ ମହିଳାଙ୍କୁ ଠକିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ହିନ୍ଦୁ ହେଉ ବା ମୁସଲିମ୍ କୌଣସି ମହିଳାଙ୍କୁ ପ୍ରତାରଣା କରିବାକୁ ସରକାର ବରଦାସ୍ତ କରିବେ ନାହିଁ। ଆମ ଭଉଣୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏଭଳି ଅପରାଧୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ” 

         ସେ କହିଛନ୍ତି ଯେ, ପଡୋଶୀ ରାଜ୍ୟ ସହ ସୀମା ତିକ୍ତତା ଉପରେ ଉଭୟ ଆସାମ-ନାଗାଲାଣ୍ଡ ଏବଂ ଆସାମ-ମିଜୋରାମ ସୀମାରେ କିଛି ବିବାଦ ଚାଲିଛି । ଆମର ସାମ୍ବିଧାନିକ ସୀମା ରକ୍ଷା ପାଇଁ ଆସାମ ପୁଲିସ ନିୟୋଜିତ ଅଛନ୍ତି । ଉତ୍ତର-ପୂର୍ବର ପ୍ରବେଶ ପଥ ହୋଇଥିବାରୁ ଆମେ ସବୁବେଳେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥାଉ କିନ୍ତୁ ଆମ ଜମିକୁ ଅଧିଗ୍ରହଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। 

         ସୂଚନାଯୋଗ୍ୟ, ଆସାମ ନିର୍ବାଚନ ଇସ୍ତାହାରରେ ଲଭ୍ ଜିହାଦ ବିରୋଧି ଆଇନ ଆଣିବାକୁ ବିଜେପି ଘୋଷଣା କରିଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଗୋ ରକ୍ଷା ଆଇନ ତାପରେ ୨ ସନ୍ତାନ ପଲିସି ଓ ପରେ ଲଭ୍ ଜିହାଦ୍ ବିରୋଧରେ ଆଇନ ଆଣିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ଲଭ ଜିହାଦ୍ ଆଇନ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଠାରେ ସମାନଭାବେ ଲାଗୁ ହେବ ବୋଲି ବିଶ୍ବଶର୍ମା ସ୍ପଷ୍ଟ କରିଛନ୍ତି।

Related Posts