ପାକିସ୍ତାନ ହାରିବା ନେଇ ପଞ୍ଜାବର ଏକ କଲେଜରେ ଖଣ୍ଡଯୁଦ୍ଧ: ଅନେକ ଛାତ୍ର ଆହତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ହୋଇଥିବା ଟି-୨୦ ୱାର୍ଲ୍ଡ କପର ଫାଇନାଲରେ ପରାଜୟ ର ସାମ୍ନା କରିଛି ଟିମ୍ ପାକିସ୍ତାନ। ଇଂଲଣ୍ଡଠାରୁ ପାକିସ୍ତାନ ହାରିଛି । ତେବେ ଏହି ମ୍ୟାଚ୍ କୁ ନେଇ ପଞ୍ଜାବର ଏକ କଲେଜରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ହେବାରୁ ଅନେକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସୂଚନା ମୁତାବକ, ରବିବାର ଦ୍ୱିପହରରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରିବାକୁ ଧାର୍ଯ୍ୟ ହେବାରେ ପରେ ପାକିସ୍ତାନ ଟିମ୍ ୧୩୭ରେ ଅଲଆଉଟ୍ ହୋଇଯାଇଥିଲେ । ମ୍ୟାଚ୍ ଅତି ରୋମାଞ୍ଚକର ଥିଲା । ସଂଘର୍ଷ ଭିତରେ ଇଂଲଣ୍ଡ ଟିମ୍ ଏହି ସ୍କୋରକୁ ବିଟ୍ କରିପାରି ୱାର୍ଲ୍ଡ କପ୍ ବିଜୟୀ ହୋଇପାରିଥିଲା ।

ହେଲେ ମ୍ୟାଚ୍ ଶେଷ ହେବା ପୂର୍ବରୁ ହିଁ ପଞ୍ଜାବ ମୋଗା ଜିଲ୍ଲାର ଫିରେଜପୁର ରୋଡ ସ୍ଥିତ ଏଲଏଲଆରଏମ୍ କଲେଜରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା କ୍ରମେ ଉଗ୍ର ରୂପ ନେଇଥିଲା । ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆଖିବୁଜା ପଥରମାଡ ହୋଇଥିଲା । ଫଳରେ ଅନେକ ଛାତ୍ର ଆହତ ହୋଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ବିରୋଧରେ କୌଣସି ଏଫଆଇଆର ଦାଏର ନକରି ଆପୋଷ ବୁଝାମଣାରେ ମାମଲାକୁ ନିୟନ୍ତ୍ରଣ କରିଥିଲା ପୋଲିସ ।

Related Posts