ମାଳିପଦର ଫେକ୍ ଏନକାଉଣ୍ଟର ଘଟଣା: ପ୍ରତିବାଦରେ ୧୮ ତାରିଖରେ ମାଓବାଦୀଙ୍କ ମାଲକାନଗିରି ଓ କୋରାପୁଟ ବନ୍ଦ ଡାକରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ଗୁରୁବାର ରାତିରେ ବୈପାରିଗୁଡା ଥାନା ମାଳିପଦର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ପୋଲିସ କହୁଥିବା ବେଳେ ଏହା ଫେକ୍ ଏନକାଉଣ୍ଟର ଏବଂ ଏହାର ତଦନ୍ତ କରିବା ପାଇଁ ମାଓବାଦୀମାନେ ଦାବି କରିଛନ୍ତି। ପୋଲିସର ଫେକ୍ ଏନକାଉଣ୍ଟରରେ ଦୁଇଜଣ ନିରୀହ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନିନ୍ଦାକରି ମାଓବାଦୀମାନେ ଆସନ୍ତା ୧୮ ତାରିଖ ଦିନ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦେଇଛନ୍ତି।

ଏନେଇ ମାଲକାନଗିରି-କୋରାପୁଟ ସୀମା ମାଓବାଦୀ ଡିଭିଜନ କମିଟିର ସଚିବ ରାକେଶ ଏକ ତେଲୁଗୁ ଭାଷାରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ୨ ଜଣ ସାଧାରଣ ଶ୍ରମିକଙ୍କ ହତ୍ୟାକୁ ଦୃଢ ନିନ୍ଦା କରୁଛୁ, ଆମେ ଏହି ଘଟଣାର ତୁରନ୍ତ ତଦନ୍ତ ଏବଂ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରୁଛୁ। ଏହା ସହ ଏହି ଅମାନୁଷିକ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ୧୮ ତାରିଖରେ ‘ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୦ ତାରିଖ ମଧ୍ୟରାତ୍ରୀରେ ପୋଲିସ ଅଧିକାରୀମାନେ ଫଟୋ ଏବଂ ଭିଡିଓ ଜାରି ବିବୃତ୍ତି ଦେଇଥିଲେ। ପୋଲିସର ବିବୃତ୍ତି ଅନୁଯାୟୀ, ବୈପାରିଗୁଡା ଥାନା ମାଳିପଦର ଜଙ୍ଗଲରେ ମାଓବାଦୀମାନେ ଗୁଳି ଚଳାଇଥିଲେ। ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ତେବେ ଘଟଣାସ୍ଥଳରୁ ଗଞ୍ଜେଇ କେଉଁଠାରୁ ଆସିଲା ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ପୋଲିସ ଉତ୍ତର ରଖିଥିଲା ଯେ, ଗଞ୍ଜେଇ ମାଫିଆଙ୍କ ସହ ମାଓବାଦୀଙ୍କର ସମ୍ପର୍କ ରହିଛି।

ପ୍ରକୃତରେ ସେଠାରେ କେହି ମାଓବାଦୀ ନଥିଲେ, ମୃତକଙ୍କ ମଧ୍ୟରେ ମାଥିଲି ବ୍ଲକର ସର୍ଗିଗୁଡା ଗାଁର ଧନ କାମର ଓ ଅନ୍ୟ ଜଣେ ସାଧାରଣ ଶ୍ରମିକ ବୋଲି ଜଣାପଡ଼ିଛି। ଏମାନେ ସାଧାରଣ ଗରିବ ଶ୍ରମିକ । ଯେଉଁମାନେ ଗଞ୍ଜାଇ କାଉଡ଼ିରେ ବୋହିଥାନ୍ତି। ଜୀବିକା ନିର୍ବାହ ପାଇଁ ରାତିରେ ଜଙ୍ଗଲ ରାସ୍ତାରେ ଅନେକ ବିପଦ ବହନ କରନ୍ତି। ରାତିରେ ଜଙ୍ଗଲରେ ଯାଉଥିବାବେଳେ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇ ସେମାନଙ୍କୁ ହତ୍ୟା କରିଥିବା ମାଓବାଦୀମାନେ ଦାବି କରିଛନ୍ତି।

ମାଓବାଦୀଙ୍କ ଅଭିଯୋଗ ଅନୁଯାୟୀ, ଏଭଳି ଘଟଣା ପ୍ରଥମ ନୁହେଁ। ଅତୀତରେ, ଗଙ୍ଗାଧର କିରସାନି ନାମକ ଜଣେ ଚାଷୀଙ୍କୁ ପୋଲିସ ଗୁଳିକରି ହତ୍ୟା କରିଥିଲା। ଚିତ୍ରକୋଣ୍ଡା ବ୍ଲକର ଏଥାଲାପଡୁ ଗାଁର ଆଦିବାସୀ କୃଷକମାନେ ରାତିରେ ଶିକାର କରିବାକୁ ଯାଇଥିବା ବେଳେ ସୋନିଆ ନାମକ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିଲା। କାଦୁମ୍ ଗ୍ରାମରେ ପୋଲିସ ଗୁଳିରେ ବୃନ୍ଦା ନାମକ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ଏପର୍ଯ୍ୟନ୍ତ ସରକାର ଏହି ଘଟଣାଗୁଡ଼ିକ ଉପରେ କିଛି ପଦକ୍ଷେପ ନେଇ ନହାଁନ୍ତି। ଅପରାଧୀଙ୍କୁ ଦଣ୍ଡ ଦିଆଯାଇ ନାହିଁ। ପ୍ରଭାବିତ ପରିବାରକୁ କୌଣସି କ୍ଷତିପୂରଣ ଦିଆଯାଇ ନାହିଁ। ଏହି ଘଟଣାକୁ ବିରୋଧ କରି ନଭେମ୍ବର ୧୮ ତାରିଖ ରେ ‘ମାଲକାନଗିରି ଏବଂ କୋରାପୁଟ ଜିଲ୍ଲା ବନ୍ଦ ପାଳନ କରିବାକୁ ମାଓବାଦୀମାନେ ନିବେଦନ କରିଛନ୍ତି।

Related Posts