କୋଇଲା ପରିବହନ ପାଇଁ ବାତିଲ ହେଲା ୬୭୦ ଯାତ୍ରୀବାହୀ ଟ୍ରେନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୁଦ୍ଧକାଳୀନ ଭିତ୍ତିରେ କୋଇଲା ପରିବହନ ପାଇଁ ବାତିଲ ହେଲା ୬୭୦ ଯାତ୍ରୀବାହୀ ଟ୍ରେନ । ତେବେ କେତେକ ରାଜ୍ୟରେ ଏବେ ବିଦ୍ୟୁତ ସଂକଟ ଗୁରୁତର ହୋଇଛି । ଥର୍ମାଲ ପାୱାର ପ୍ଲାଣ୍ଟମାନଙ୍କରେ ଷ୍ଟକ୍ ହ୍ରାସର ମୁକାବିଲା ଲାଗି ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ କୋଇଲା ପରିବହନ ଆରମ୍ଭ କରିଛନ୍ତି। ଯୋଗାଣ ସୁଗମ କରିବା ଲାଗି ସାରା ଦେଶରେ ୬୭୦ଟି ଟ୍ରେନ ବାତିଲ ହୋଇଥିବା ରେଳବାଇ ଅଧିକାରୀମାନେ ଶୁକ୍ରବାର କହିଛନ୍ତି। ଏହିସବୁ ଟ୍ରେନକୁ ଅନିଶ୍ଚିତ କାଳ ପର‌୍ୟ୍ୟନ୍ତ ବାତିଲ କରାଯାଇଛି। କୋଇଲା ପରିବହନ ସମୟ ହ୍ରାସ ପାଇଁ ରେଳବାଇ ଏହି ପଦକ୍ଷେପ ନେଇଛନ୍ତି। ଏହି ସବୁ ଟ୍ରେନ ଅସ୍ଥାୟୀ ରଦ୍ଦ ହୋଇଥିବା ଓ ପରିସ୍ଥିତି ସ୍ୱଭାବିକ ହେବା ପରେ ପୁଣି ଥରେ ଯାତ୍ରୀ ରେଳ ସେବା ଆରମ୍ଭ କରିଦିଆଯିବ ବୋଲି ରେଳବାଇ କାର‌୍ୟ୍ୟକାରୀ ନିର୍ଦ୍ଦେଶକ ଗୌରବ କୃଷ୍ଣ ବଂସଲ ଗଣମାଧ୍ୟମକୁ କହିଛନ୍ତି। ତେବେ କୋଇଲା ପରିବହନ ପାଇଁ ଛତିଶଗଡରେ ବାତିଲ ହୋଇଥିବା ୩ ଟ୍ରେନର ଯାତ୍ରା ସ୍ୱଭାବିକ୍ କରିଦିଆଯାଇଛି।

ଏହି ଟ୍ରେନଗୁଡିକୁ ପ୍ରାରମ୍ଭିକ ପର‌୍ୟ୍ୟାୟରେ ବାତିଲ ହୋଇଥିଲେ। ତେବେ ସ୍ଥାନୀୟ ସାଂସଦଙ୍କ ବିରୋଧ ଯୋଗୁ ଟ୍ରେନଗୁଡିକୁ ପୁଣି ଚାଲୁ କରିଦିଆଯାଇଛି। ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି (ସିଇସି)ଙ୍କ ଦୈନିକ କୋଲ ଷ୍ଟକ୍ ରିପୋର୍ଟ ଅନୁସାରେ ୧୬୫ ଥର୍ମାଲ ପାୱାର ପ୍ଲାଣ୍ଟ ମଧ୍ୟରୁ ୫୬ଟିରେ ଏବେ ୧୦ ପ୍ରତିଶତରୁ କମ କୋଇଲା ଷ୍ଟକ୍ ଅଛି। ୨୬ ଟି ପ୍ଲାଣ୍ଟରେ ୫ ପ୍ରତିଶତରୁ ବି କମ ଷ୍ଟକ୍ ଥିବା ବେଳେ ୨୧ ଦିନର ଷ୍ଟକ ସ୍ଥାନରେ କେତେକ ଗୁରୁତ୍ୱପୂର୍ଣ୍ଣ ଥର୍ମାଲ ପାୱାର ପ୍ଲାଣ୍ଟରେ ଦିନକ ଲାଗିବି ଆଉ ଷ୍ଟକ୍ ନଥିବା ଜଣାପଡିଛି। ଦେଶର କୋଇଲା ସଂକଟ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବୟାନ ଦେଇସାରିଛନ୍ତି। ସାରା ଦେଶରେ ଏବେ ବିକଟ ପରିସ୍ଥିତି, ସାମୂହିକ ଭାବେ ଆମକୁ ଏକକ ସମାଧାନର ରାସ୍ତା ବାହାର କରିବାକୁ ପଡିବ ବୋଲି ସେ କହିଛନ୍ତି। ଅଭୂତପୂର୍ବ ଗ୍ରୀଷ୍ମ ଲହରରେ ଦେଶର ଅନେକ ଭାଗରେ ବ୍ଲାକ ଆଉଟ୍ ଓ ଆଉଟେଜ୍ ଜୀବନ ଓ ଉଦ୍ୟୋଗ ଉଭୟକୁ ଗୁରୁତର ପ୍ରଭାବିତ କରିଛି। କେତେକ ଉଦ୍ୟୋଗ ବିଦ୍ୟୁତ ସଂକଟ କାରଣରୁ ଉତ୍ପାଦନ ହ୍ରାସ କରିଛନ୍ତି।

Related Posts