ବିଦାହେଲେ ଗୁଣ୍ଡା କଲେକ୍ଟର, ଛତିଶଗଡ ସି ଏମ୍ ଙ୍କ ତୁରନ୍ତ ଆକ୍ସନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଯୁବକଙ୍କୁ ଚାପୁଡ଼ା ମାରିବା ଓ ମୋବାଇଲକୁ ଭାଙ୍ଗିବା ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି। ଯାହା ପରେ ତୁରନ୍ତ ଆକ୍ସନ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଘଟଣା ହେଉଛି ଛତିଶଗଡ଼ର। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଜିଲ୍ଲାପାଳଙ୍କୁ, ପଦରୁ ହଟାଇ ଦେଇଛନ୍ତି । ଛତିଶଗଡର ସୁରଜପୁର ଜିଲ୍ଲାରେ କୋଭିଡ -19 ତାଲା ବନ୍ଦ ସମୟରେ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ସହ ଫୋନକୁ ତଳେ ପକାଇ ଦେଇଥିବା ଜଣେ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦରୁ ହଟାଇ ଦିଆଯାଇଛି। ସୁରଜପୁର ଜିଲ୍ଲା କଲେକ୍ଟର ରଣବୀର ଶର୍ମା ଜଣେ ଯୁବକଙ୍କ ସହ ଅସଦାଚରଣର କରୁଥିବା ଏକ ଘଟଣା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍‌ ହେବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଵୋଲି କହିଛନ୍ତି। ଛତିଶଗଡରେ ଏପରି କୌଣସି ଘଟଣାକୁ ବରଦାସ୍ତ କରାଯିବ ନାହିଁ। କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ପ୍ରଭାବ ସହିତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ଲେଖଛନ୍ତି ଯେ ସୋଶାଲ ମିଡିଆ ମାଧ୍ୟମରେ ସୂରଜପୁରରୁ ଜିଲ୍ଲାପାଳ ରଣବୀର ଶର୍ମାଙ୍କ ଦ୍ୱାରା ଜଣେ ଯୁବକଙ୍କୁ ଦୁର୍ବ୍ୟବହାର ମାମଲା ମୋ ନଜରକୁ ଆସିଛି । ଏହା ବହୁତ ଦୁଃଖଦ ଓ ନିନ୍ଦନୀୟ। ଛତିଶଗଡ଼ରେ ଏଭଳି କାମକୁ ବରଦାସ୍ତ କରାଯିବନି। ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ତତ୍କାଳ ପ୍ରଭାବରେ ହଟାଇବାକୁ ନିର୍ଦ୍ଦେଶ ଦିଆଯାଉଛି ।

ଛତିଶଗଡ ସରକାର ରାୟପୁର ଜିଲ୍ଲା ପଞ୍ଚାୟତର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ କୁମାର ସିଂଙ୍କୁ ସୁରଜପୁରର ନୂତନ କଲେକ୍ଟର ନିଯୁକ୍ତ କରି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଭିଡିଓରେ ଯୁବକ ଜଣକ କରୋନା ଟେଷ୍ଟ କରାଇବାକୁ ଯାଇଥିଲେ ବୋଲି କହୁଛନ୍ତି । ଯୁବକଙ୍କ ହାତରେ ଗୋଟିଏ କାଗଜ ଥିଲା, ଯାହାକୁ ସେ ବାରମ୍ବାର ଦେଖାଇବାକୁ ପ୍ରୟାସ କରୁଛନ୍ତି । ଆଇଏଏସ୍ ଆସୋସିଏସନ୍ ମଧ୍ୟ ଏହି ଘଟଣାକୁ ନିନ୍ଦା କରି ଟ୍ୱିଟ୍ କରି କହିଛନ୍ତି: “ଛତିଶଗଡର ସୁରଜପୁର କଲେକ୍ଟରଙ୍କ ଆଚରଣକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏହା ଗ୍ରହଣୀୟ ନୁହେଁ ଏବଂ ସେବା ତଥା ନାଗରିକତାର ମୌଳିକ ନିୟମ ବିରୁଦ୍ଧରେ। ସରକାରୀ କର୍ମଚାରୀମାନେ ସହାନୁଭୂତି ରହିବା ଆବଶ୍ୟକ ଏବଂ ସମାଜକୁ ଏକ ଆରୋଗ୍ୟ ସ୍ପର୍ଶ ପ୍ରଦାନ କରିବା ଆବଶ୍ୟକ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଅଧିକାରୀଙ୍କ ବିରୋଧରେ ବ୍ୟାପକ କ୍ରୋଧ ପ୍ରକାଶ ପାଇଥିଲା। ଶର୍ମା କ୍ଷମା ମାଗି ଏକ ବିବୃତ୍ତିରେ କହିଛନ୍ତି ଯେ ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଅସମ୍ମାନ କରିବା କିମ୍ବା ଅପମାନିତ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ମୋର ମାତାପିତା ଓ ଖୋଦ୍ ମୁଁ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲି। ଭିଡିଓରେ ଯେଉଁ ବ୍ୟକ୍ତି ଅଛନ୍ତି, ତାଙ୍କର ବୟସ ୨୩। ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ କ୍ଷମା ମାଗୁଛି ।

Related Posts