୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ୟାସ୍‌’ : ୪ ଜିଲ୍ଲା ହେବେ ଅଧିକ ପ୍ରଭାବିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭବ୍ୟ ବାତ୍ୟା ‘ୟାସ୍’ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଆଜି ଏ ନେଇ ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଏବଂ ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ। ମେ ୨୬ ତାରିଖ ଅର୍ଥାତ୍ ବୁଧବାର ଦିନ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ କରିବ ବୋଲି ଆଇଏମଡ଼ି ଡିଜି ସୂଚନା ଦେଇଛନ୍ତି ।

ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଉପକୂଳରେ ସମୟ ସମୟରେ ଝଟକା ପବନର ବେଗ ୧୮୫ କିମି ରହିବା ନେଇ ପୂର୍ବାନୁମାନ କରାଯାଇଛି। ବାତ୍ୟା ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ୪୦ରୁ ୫୦ କିମି ବେଗରେ ପବନ ବହିବ ଏବଂ ୨୫ରୁ ପବନର ବେଗ ବଢ଼ିବ। ଓଡ଼ିଶାର ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଅଧିକ ମାତ୍ରାରେ ପ୍ରଭାବିତ ହେବ।

Related Posts