ଅଗଷ୍ଟ ୧୬ ରୁ ରାଜ୍ୟରେ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବା ବେଳେ କଟକଣା ଧୀରେ ଧୀରେ କୋହଳ ହେବାରେ ଲାଗିଛି । ଏହା ମଧ୍ୟରେ ଅଗଷ୍ଟ ୧୬ରୁ ରାଜ୍ୟରେ ଖୋଲିବକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବ କଲେଜ ଓ ୟୁନିଭର୍ସିଟି । ଆଜି ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ କ୍ଲାସ୍ ରୁମ୍ ପାଠପଢ଼ା ଆରମ୍ଭ ହେବ। ସେହିପରି ହଷ୍ଟେଲ ଗୁଡ଼ିକୁ ଖୋଲିବା ପାଇଁ ମଧ୍ୟ କୁହାଯାଇଛି। ତେବେ କଲେଜ ଓ ୟୁନିଭରସିଟି ଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିଥିଲେ ସୁଦ୍ଧା ୟୁଜି ଏବଂ ପିଜି ଫାଇନାଲ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ଏ ସମ୍ପର୍କରେ ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ ରହିଥିଲା। ବର୍ତ୍ତମାନ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ସରକାର ପର୍ଯ୍ୟାୟ କ୍ରମେ ଏଗୁଡ଼ିକୁ ଖୋଲୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । 

ଅନ୍ୟ ପକ୍ଷରେ  ଅଗଷ୍ଟ ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି । ହେଲେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

Related Posts