କରୋନା ରେ ନିରବୀଗଲେ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : ଯାତ୍ରା ମଞ୍ଚରେ ହସର ପେଡି ଖୋଲୁଥିବା ଜଗବନ୍ଧୁ ରାଉତ ଓରଫ ଜଗା ରାଉତ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି | କିଛିଦିନ ହେବ କରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ | ଆଜି ସକାଳ ୯ଟା ୩୦ରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା | ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କାଳିଆପଦା ଗ୍ରାମର ବିଶିଷ୍ଟ ଯାତ୍ରା ହାସ୍ୟ ଅଭିନେତା ଜଗା ରାଉତଙ୍କ ନାମ ସାରା ଓଡ଼ିଶାର ଘରେ ଘରେ ପରିଚିତ । ଯାତ୍ରା ଜଗତରେ “ଜଗା ମାଉସ” ଭାବେ ସେ ସମସ୍ତଙ୍କର ପ୍ରିୟ ଥଲେ | ଆକାଶ କଇଁଆ ଚିଲିକା ମାଛ,ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନ କହିଲେ କୂଳ ଭାସିଯାଉଛି, କାଗଜ ଫୁଲ, ଭଳି ଅନେକ ନାଟକରେ ଅଭିନୟ କରି ସେ ଦର୍ଶକୀୟ ପ୍ରଶଂସା ସାଉଁଟିଥିଲେ | ଉତ୍ତରାୟଣୀ ଅପେରାରୁ ନିଜର ଯାତ୍ରା ଜୀବନ ଆରମ୍ଭ କରିଥିବା ଜଗା ରାଉତ ସାତଶଂଖ ଓ କୋଣାର୍କ ରେ ଲମ୍ବା ସମୟ ଧରି ରାଜ କରୁଥିଲେ | ବୟସାଧିକ ସ୍ୱାସ୍ଥ୍ୟ ସମସ୍ୟା ହେତୁ ମଝିରେ ଯାତ୍ରାରୁ ବିଶ୍ରାମ ନେଇଥିଲେ | ପୁନର୍ବାର କଳିଙ୍ଗ ଗଣନାଟ୍ୟ ରେ ଯୋଗଦେଇ ଅଭିନୟ ଜାରି ରଖିଥିଲେ | ସମସ୍ତଙ୍କର ପ୍ରିୟ ଜଗା ମଉସା ହସ କଥା କହି ହସାଇ ହସାଇ ବେଦମ କରାଉଥିଲେ ,ତାଙ୍କ ଅଙ୍ଗୀ ଭଂଗିରେ ଯେପରି ସହାସ୍ୟ ର ଛଳ ଭରି ରହିଥିଲା । ୧୦ ବର୍ଷ ଛୋଟ ପାର୍ଟିରେ ଅଭିନୟ କରିବା ପରେ ସାତଶଙ୍ଖ ଅପେରାକୁ ୧୯୬୮ ମସିହା‌ରେ ଆସିଥିଲେ । ସାତଶଙ୍ଖ ଅପେରାରେ ୩୦ ବର୍ଷ କାଳ ହସର ମୁରୁଜ ବୁଣି ଚାଲିଥିଲେ । ସଂପ୍ରତି ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ। ପ୍ରାୟ ୪୦ ବର୍ଷ ହେବ ଯାତ୍ରାରେ ଅଭିନୟ ଜାରି ରଖିବା ସହ ୬୬ ବର୍ଷ ହେବ ଯାତ୍ରା ଦୁନିଆ ସହ ସଂଶ୍ଳିଷ୍ଟ ଥିଲେ ।

Related Posts