ବାଲିଯାତ୍ରା ପଡ଼ିଆରେ କମିସନରେଟ୍ ପୁଲିସ ପକ୍ଷରୁ ଖୋଲିବ ୭ଟି ସହାୟତା କେନ୍ଦ୍ର

କଟକ: ଦୁଇ ବର୍ଷ ପରେ ଚଳିତ ବର୍ଷ ଜମିବ ବାଲିଯାତ୍ରା । ବେଶ୍ ଧୁମ୍ ଧାମରେ ବାଲିଯାତ୍ରା ହେବ। ତେବେ ଲୁଟ୍, ଛିନତାଇ, ଅସଦାଚରଣର ଶିକାର ଦର୍ଶକଙ୍କୁ କ୍ୟାଣ୍ଟନମେଣ୍ଟ ଥାନାକୁ ଏତଲା ଦେବାକୁ ଯିବାକୁ ପଡ଼ିବ ନାହିଁ। ପ୍ରଥମ ଥର ସ୍ବତନ୍ତ୍ର ଭାବେ ବାଲିଯାତ୍ରା ପଡ଼ିଆରେ ୭ଟି ପୁଲିସ ସହାୟତା କେନ୍ଦ୍ର ଚଳିତ ବର୍ଷ କମିସନରେଟ୍ ପୁଲିସ ନୂଆ ଢଙ୍ଗରେ ଖୋଲିବାକୁ ଯାଉଛି। ଏହି କେନ୍ଦ୍ରରେ ପୁଲିସ ଏତଲା ଗ୍ରହଣ କରିବ। ପରେ ଥାନା ସିସିଟିଏନଏସରେ ମାମଲା ପଞ୍ଜିକରଣ କରାଯିବ। କିନ୍ତୁ ପ୍ରାଥମିକ ତଦନ୍ତ ପଡ଼ିଆରୁ ହିଁ ପୁଲିସ ଆରମ୍ଭ କରି ଅପରାଧୀଙ୍କୁ ତୁରନ୍ତ ଠାବ କରିବା କ୍ଷେତ୍ରରେ ପଦକ୍ଷେପ ନେବାର ଲକ୍ଷ୍ୟ ରହିଛି।

ଦର୍ଶକଙ୍କୁ ତ୍ବରିତ ପୁଲିସ ସହାୟତା ଯୋଗାଇବା ପାଇଁ ଡିସିପି ପିନାକ୍ ମିଶ୍ର ଚଳିତ ଥର ସ୍ବତନ୍ତ୍ର ଢଙ୍ଗରେ ୭ଟି ପୁଲିସ ସହାୟତା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସୁନା ଅଳଙ୍କାର, ମୋବାଇଲ, ପର୍ସ ଇତ୍ୟାଦି ଭିଡ଼ ଭିତରେ ଚୋରି ଓ ଛିନତାଇ ଭଳି ମାମଲାରେ ଦର୍ଶକ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି।

ଜିଲ୍ଲା ବାହାରୁ ଆସିଥିବା ଦର୍ଶକ ଥାନାରେ ପହଞ୍ଚି ଏତଲା ପଞ୍ଜିକରଣ କରିବାରେ ସମସ୍ୟା ହୋଇଥାଏ। ଥାନାରେ ଏତଲା ଦେବାରେ ବିଳମ୍ବ ହେଉଥିବାରୁ ବାଲିଯାତ୍ରାରେ ଏହି ଧରଣର ଅପରାଧୀକ ମାମଲାରେ ପୁଲିସ ଅପରାଧୀଙ୍କୁ ଠାବ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ।

ତେଣୁ ସମ୍ପତ୍ତି ଲୁଟ୍ ମାମଲା ପାଇଁ ଏକ ସ୍ବତନ୍ତ୍ର ୟୁନିଟ୍ ବାଲିଯାତ୍ରା ପଡ଼ିଆରେ ଖୋଲାଯିବ। ସେଠି ଥିବା ପୁଲିସ ଅଧିକାରୀ ଅଭିଯୋଗକାରୀଙ୍କୁ ଏକ ଫର୍ମ ଦେବେ। ଏହି ଫର୍ମରେ ଚୋରି ସଂକ୍ରାନ୍ତ ତଥ୍ୟ ଦର୍ଶାଇବେ। ସେହି ଆଧାରରେ ପୁଲିସ ତଦନ୍ତ କରିବ। ସେହିଭଳି ମହିଳାଙ୍କୁ ଅସଦାଚରଣ, ଦୁର୍ବ୍ୟବହାର ଭଳି ମାମଲାର ତଦନ୍ତ ପାଇଁ ସ୍ବତନ୍ତ୍ର ମହିଳା ସହାୟତା କେନ୍ଦ୍ର ଖୋଲାଯିବ। ଏଠି ମହିଳା ଏସଆଇ ରହିବେ। ତାଙ୍କୁ ସହଯୋଗ କରିବା ପାଇଁ କନଷ୍ଟେବଳମାନେ ନିୟୋଜିତ ହେବେ। ମହିଳାଙ୍କ ବୟାନ ରେକର୍ଡ ସହିତ ଅଭିଯୁକ୍ତଙ୍କୁ ଠାବ କରିବାକୁ ପୁଲିସ ତ୍ବରିତ ପଦକ୍ଷେପ ନେବ। ବାଲିଯାତ୍ରାକୁ ଆସୁଥିବା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ଆଉ ଏକ କେନ୍ଦ୍ର ଖୋଲାଯିବ। ଏମାନଙ୍କୁ ଏହି କେନ୍ଦ୍ରରେ ହ୍ବିଲ୍ ଚେୟାର ଯୋଗାଇ ଦିଆଯିବ। ଯାହାଫଳରେ ସେମାନେ ବାଲିଯାତ୍ରା ପଡ଼ିଆରେ ସହଜରେ ବୁଲିପାରିବେ। ଘରକୁ ଫେରିବା ପୂର୍ବରୁ ହ୍ବିଲ୍ ଚେୟାରରୁ ଏହି କେନ୍ଦ୍ରର ଜିମାରେ ଦେବେ। ନିଖୋଜ କିମ୍ବା ଅପହରଣ ହେଉଥିବା ଶିଶୁଙ୍କ ପାଇଁ ଶିଶୁ ସହାୟତା କେନ୍ଦ୍ର ଖୋଲାଯିବ। ଏହି କେନ୍ଦ୍ରରେ ଖବର ଦେଲେ ତୁରନ୍ତ ପୁଲିସ ଠାବ କରିବାକୁ ଉଦ୍ୟମ କରିବ। ପୁରା ବାଲିଯାତ୍ରାରେ ଆଇନ ଶୃଙ୍ଖଳା ଓ ଅପରାଧୀକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ପ୍ରାୟ ୬୫ ପ୍ଲାଟୁନ୍ ପୁଲିସ ଫୋର୍ସ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଅପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ପଡ଼ିଆରେ ସାଦା ପୋଷାକରେ ପୁଲିସ ମୁତୟନ କରାଯିବାକୁ ଯୋଜନା ରହିଛି।

ଡିସିପି ପିନାକ୍ ମିଶ୍ର କହିଛନ୍ତି ଯେ ଏଭଳି ନୂଆ ଧରରଣ ସହାୟତା କେନ୍ଦ୍ର ଚଳିତ ବର୍ଷ ଆରମ୍ଭ ହେଉଥିବା ବେଳେ କେନ୍ଦ୍ରର ପ୍ରଚାର ପ୍ରସାର ପାଇଁ ବ୍ୟାନର, ପୋଷ୍ଟର ପଡ଼ିଆରେ ଲଗାଯିବ। ଉଭୟ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ଏହି କେନ୍ଦ୍ର ଖୋଲାଯିବାକୁ ଥିବା ବେଳେ ଆବଶ୍ୟକ ପଡ଼ିଲେ ସଂଖ୍ୟା ବୃଦ୍ଧି କରାଯିବା ନେଇ ଡିସିପି ପିନାକ୍ ମିଶ୍ର ସୂଚନା ଦେଇଛନ୍ତି ।

Related Posts