ଧାମନଗର ଉପନିର୍ବାଚନ; ଭୋଟିଂ ସମୟରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ଓ ବୁଥ୍ ରିଗିଂ ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଭୋଟଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରୁ ବିଶୃଙ୍ଖଳା ନେଇ ଖବର ସାମ୍ନାକୁ ଆସିଛି। କେଉଁଠି ବୁଥ୍ ରିଗିଂ ନେଇ ଅଭିଯୋଗ ତ ଆଉ କେଉଁଠି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

ମିଳିଥିବା ଖବର ଅନୁସାରେ, ଧାମନଗର କଟସାହି ପଞ୍ଚାୟତର ଖଳାଗଡ଼ିଆରେ ସ୍କୁଲର ୨୨ ଓ ୨୩ ନମ୍ବର ବୁଥ୍‌ରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ରିଗିଂ କରିଥିବା ନେଇ ବିଜେପି କର୍ମୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଚପା ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ,ସେକ୍ଟର ଅଫିସର ଓ ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା।

ସେହିପରି ଧାମନଗରର ଡରାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ୧୬୯ ଓ ୧୭୦ନଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହେବାରୁ ଗୋଟିଏ ଗୋଷ୍ଠୀର ୨ଜଣ ଆହତ ହୋଇଥିଲେ। ଉଭୟଙ୍କୁ ଧାମନଗର ଗୋଷ୍ଠୀ କେନ୍ଦ୍ର ଭର୍ତ୍ତି କରାଯାଇଥିବା ବେଳ ଏନେଇ ଧାମନଗର ଥାନାରେ ମାମଲା ରୁଜୁ ହୋଇଛି।

ଧାମ ନଗର ଉପ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଦିନ ୧ଟା ସୁଦ୍ଧା ୩୮.୭୫% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ସେପଟେ ଧାମନଗର ଉପନିର୍ବାଚନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବୁଥର ୧୦୦ମିଟର ଭିତରେ ବିଶୃଙ୍ଖଳାକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗିମୋଟ ୯୯୭ ଜଣ ପୁଲିସ କର୍ମଚାରୀ ମଧ୍ୟ ବିଭିନ୍ନ ମତଦାନ କେନ୍ଦ୍ରରେ ରହିଛନ୍ତି। ସେହିଭଳି ୪ କମ୍ପାନୀ ସିଆରପିଏଫ୍, ୨୪ଟି ମୋବାଇଲ୍ ପାର୍ଟି, ୨୨ ପ୍ଲାଟୁନ୍ ଷ୍ଟେଟ୍ ଆର୍ମଡ୍ ଫୋର୍ସ, ୩୦ଜଣ ସେକ୍ଟର ଅଧିକାରୀ, ୯ ସେକ୍ଟର ମାଜିଷ୍ଟ୍ରେଟ୍, ୧୦୦ଜଣ ସବ୍ଇନ୍ସପେକ୍ଟର ଓ ଇନ୍ସପେକ୍ଟର, ୨ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ୬ ଡିଏସପି ମୃତୟନ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍ ଓ ୨୫ଟି ଅତି ଉତ୍ତେଜନାପ୍ରବଣ ବୁଥ୍ ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Related Posts