କମଲନାଥ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକ ପରେ ଘୋଷଣା

କମଲନାଥ ହିଁ ହେବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ଦୁଇ ଦିନର ଟଣାଓଟରା, ଅଙ୍କକଷା ପରେ ଶେଷରେ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ହାଇ କମାଣ୍ଡ। ଗୁରୁବାର ରାତିରେ ବସିଥିବା ବିଧାୟକ ଦଳ ବୈଠକରେ କମଲନାଥଙ୍କୁ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଚୟନ କରାଯାଇଛି ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ କେଉଁ ନେତା ମୁଖ୍ୟମନ୍ତ୍ରୀ ହେବେ, ସେନେଇ ଜୋରଦାର ହୋଇଥିଲା ଟଣା ଓଟରା । ଏ ନେଇ କମଲନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଦୁଇ ଦିନ ହେଲା ଚାଲିଥିଲା ଶୀତଳ ଯୁଦ୍ଧ । ଦୁଇ ନେତା କିଛି ସାମ୍ନାରେ କହୁ ନ ଥିବାବେଳେ । ଦୁଇ ନେତାଙ୍କର ଶହ ଶହ ପ୍ରଶଂସକ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜଧାନୀରେ ଜୋରଦାର ହଙ୍ଗାମା କରୁତିଲେ । ରାଜ୍ୟର ମାମଲା ରାଜ୍ୟରେ ଶେଷ ହୋଇ ନ ପାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ନେତା ସଭାପତି କମଲନାଥ ଓ ପ୍ରଚାର ସମିତିର ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଲ୍ଲୀ ଡକାଇଥିଲେ ।

ଉଭୟ କମଲନାଥ ଓ ସିନ୍ଧିଆ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରି ଫେରିବା ପରେ ଗୁରୁବାର ରାତିରେ ଭୋପାଳରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଘୋଷଣା କରାଯାଇଥିଲା ।

ଏହା ପୂର୍ବରୁ ଦିଲ୍ଲୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କମଲନାଥ କହିଥିଲେ, ଭୋପଳରେ ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା ହେବ । ସେହିଭଳ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ଏହା ଦୌଡ଼ କି ଚୌକିର ପ୍ରସଙ୍ଗ ନୁହେଁ । ଆମକୁ ମଧ୍ୟପ୍ରଦେଶର ଲୋକଙ୍କ ସେବା କରିବାକୁ ପଡ଼ିବ । ମୁଁ ଭୋପାଳ ଫେରୁଛି ଏବଂ ଆପଣଙ୍କୁ ଆଜି ଖବର ମିଳିଯିବ ।

Related Posts